ବର୍ଷ ପୁରନ୍ତିରେ କୁନି ଚିତ୍ରଶିଳ୍ପୀ ଜଣାଇଲେ ଇସ୍ରୋକୁ ଅଭିନନ୍ଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଅଗଷ୍ଟ ମାସ ୨୩ ତାରିଖ । ୧୪୦ କୋଟି ଭାରତୀୟଙ୍କ ପାଇଁ ଅବିସ୍ମରଣୀୟ ଦିନଟିଏ । ଦିନଟି ଏଥିପାଇଁ ସ୍ମରଣୀୟ ୨୦୨୩ ମସିହା ଅଗଷ୍ଟ ମାସ ୨୩ ତାରିଖରେ ଭାରତ ତୃତୀୟ ଲୁନାର୍ ମିଶନ୍ ଚନ୍ଦ୍ରୟାନ୍-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ନୂଆ ଇତିହାସ ସୃଷ୍ଟି କରି ତ୍ରିରଙ୍ଗାର ଧ୍ୱଜା ଉଡ଼ାଇଥିଲେ । ଏହି ଐତିହାସିକ ଦିବସଟିକୁ ସ୍ମରଣୀୟ କରିବା ପାଇଁ ଏବଂ ମହାକାଶ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାର ଏହି ଦିନଟିକୁ ଜାତୀୟ ମହାକାଶ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ବିଜ୍ଞାନର ଏହି ଐତିହାସିକ ବିଜୟକୁ ପୁଣି ମନେ ପକାଇଛନ୍ତି ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । କାଗଜ କଳାରେ ତିଆରିଛନ୍ତି ଚନ୍ଦ୍ରୟାନ୍-୩ ରକେଟ୍ର ପ୍ରତୀକାତ୍ମକ ମଡ଼େଲ୍ । ଏହି ପରିପ୍ରେକ୍ଷୀରେ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ଜଣାଇଛନ୍ତି ହୃଦୟଭରା ଅଭିନନ୍ଦନ ଓ ସାଲ୍ୟୁଟ୍ । ଖୁସି ପ୍ରକଟ କରି କହିଛନ୍ତି ଜୟ ବିଜ୍ଞାନ, ଜୟ ଇସ୍ରୋ, ଜୟ ଚନ୍ଦ୍ରାୟାନ୍, ଜୟ ହୋ ଭାରତ । ଶାନ୍ତନୁଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇପାରିଛି । ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୫ମ ଶ୍ରେଣୀରେ ଅଧ୍ୟୟନରତ ଅଛନ୍ତି ।