ପେଟ୍ରୋଲ୍ ଢ଼ାଳି ପତ୍ନୀକୁ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ୍ ଦଣ୍ଡ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୨୦୨୧ ମସିହାରେ ପେଟ୍ରୋଲ୍ ଢ଼ାଳି ପତ୍ନୀକୁ ହତ୍ୟା କରିଥିବା ମାମଲାର ଆଜି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ବିଚରାଣା ହୋଇଛି । ବିଚାରପତି ମନୋରଞ୍ଜନ ଦାଶ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ସ୍ୱାମୀ ବି.ମୁକୁଡୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପେଟ୍ରୋଲ୍ ଢ଼ାଳି ପତ୍ନୀ ବି.ଏରାମ୍ମାକୁ ହତ୍ୟା କରିଥିବା ନେଇ ୩୦୨ ଦଫାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ପୈଠ କରିବା ଜରିମାନା ଅନାଦେୟରେ ଅତିରିକ୍ତ ୧ ବର୍ଷ ଜେଲ୍ ଦଣ୍ଡଏବଂ ଯୌତୁକ ନିର୍ଯ୍ୟାତନା ୪୯୮(ଏ) ଦଫାରେ ୨ ହଜାର ଟଙ୍କା ଜରିମାନା ପୈଠ, ଜରିମାନା ଅନାଦେୟରେ ଅତିରିକ୍ତ ୨ ମାସ ଜେଲ୍ ଦଣ୍ଡ ଭୋଗିବା ପାଇଁ ବିଚାରପତି ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ଚୌଧୂରୀ ଓ ସିମାଞ୍ଚଳ ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ । ସୂଚନାନୁସାରେ, ୨୦୨୧ ମସିହା ଅଗଷ୍ଟ ୪ ତାରିଖରେ ପତ୍ନୀ ଏରାମ୍ମା ଟିଫିନ୍ କ୍ୟାରେଜ୍ ଧରି ଶ୍ରମିକ କାମ କରିବା ପାଇଁ ଅନ୍ୟ ମହିଳା ଶ୍ରମିକମାନଙ୍କ ସହ ଘରୁ ବାହାରିଥିଲେ । ଘରୁ ୧୦୦ ରୁ ୨୦୦ ମିଟର ଦ୍ୱରରେ ଥିବା ସାନଆର୍ଯ୍ୟପଲ୍ଲୀ ଗାନ୍ଧିଛକ ଠାରେ ସ୍ୱାମୀ ମୁକୁଡୁ ୍ପତ୍ନୀ ଏରାମ୍ମାକୁ ଜୀବନରେ ମାରିଦେବା ପାଇଁ ପୂର୍ବରୁ ପେଟ୍ରୋଲ୍ ଧରି ଜଗି ରହିଥିଲା । ଗାନ୍ଧିଛକ ଠାରେ ଏରାମ୍ମା ସହ ମୁକୁଡୁର ମୁହାଁମୁହିଁ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଧୂଳିଉଡା ଝଗଡା ହୋଇଥିଲା । ଏରାମ୍ମା ଧରିଥିବା ଶ୍ରମିକ ହେଲ୍ମେଟ୍ ମଧ୍ୟରେ ପିଟାପିଟି ହୋଇଥିଲେ । କାଖ ଭିତରେ ଲୁଚାଇ ରଖିଥିବା ପେଟ୍ରୋଲକୁ ଆଖି ପୁଛୁଳାକେ ମୁକୁଡୁ ଏରାମ୍ମା ଦେହ ଉପରେ ଢ଼ାଳି ନିଆଁ ଲଗାଇଥିଲା । ଏରାମ୍ମାର ଶରୀର ନିଆଁ ଲାଗିବା ଦେଖି ସେଠାରେ ଥିବା ଏନ୍.ଗୋପାଲ ଓ ଏନ୍.କାମେୟା ଦୌଡି ଆସି ଉଦ୍ଧାର କରିଥିଲେ । ସେତେବେଳକୁ ଏରାମ୍ମାଙ୍କ ଅଷ୍ଟାଙ୍ଗ ଶରୀ ୯୦ ପ୍ରତିଶତ ନିଆଁରେ ପୋଡିଯାଇଥିଲା । ସଂଗେ ସଂଗେ ଏକ ଗାଡିରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକ ଏରାମ୍ମାକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଥିବାନେଇ ବ୍ରହ୍ମପୁର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୭ରୁ ୮ ଦିନ ଚିକିତ୍ସାଧୀନ ଅବସ୍ଥାରେ ପରେ ଏରାମ୍ମାଙ୍କ ମୃତ୍ୟୁ ଘଟିଥିଲା । ଏରାମ୍ମାଙ୍କ ପିତା ଜି.ଏରେୟା ସାମୁଦ୍ରିକ ଥାନାରେ ଘଟଣା ସଂପର୍କରେ ୨୦୨୧ ଅଗଷ୍ଟ ୪ ତାରିଖରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନା ପକ୍ଷରୁ ୩୬ ନମ୍ବରରେ ଏକ ମାମଲା ରୁଜୁ କରି ସ୍ୱାମୀ ମୁକୁଡୁକୁ ଗିରିଫ କରି ଜେଲ୍ ପଠାଯାଇଥିଲା ।