ଜମି ମାଫିଆଙ୍କ ଷଡ଼ଯନ୍ତ୍ର ପଣ୍ଡ ହେଲା, ସରକାରୀ ଜମିରେ ଲାଗିଲା ସାଇନ୍ ବୋର୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ଅଭିଯୋଗକ୍ରମେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ସରକାରୀ ଜମିରେ ଗଜପତି ପ୍ରଶାସନର ସାଇନ ବୋର୍ଡ଼ ଲଗାଯାଇ ମାଫିଆଙ୍କୁ ଉଚିତ ଜବାବ ଦିଆଯାଇଥିବା ସୂଚନା ମିଳିଛି. ସୂଚନାଯୋଗ୍ୟ ଜବର ଦଖଲ ହୋଇଥିବା ସମସ୍ତ ସରକାରୀ ଜମିକୁ ମୁକ୍ତ କରାଯିବ ବୋଲି ମୋହନ ସରକାର ଘୋଷଣା କରିଛନ୍ତି । ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ସରକାରୀ ଜମିକୁ ମାଫିଆ ଜବରଦଖଲ କରୁଛନ୍ତି । ହେଲେ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ପ୍ରଶାସନ ସମ୍ପୃକ୍ତ ଜମିକୁ ମାପଚୁପ କରିବା ସହ ଏହା ସରକାରୀ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଏକ ସାଇନ ବୋର୍ଡ ଲଗାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ସଂସ୍କୃତ ମହାବିଦ୍ୟାଳୟର ପ୍ରାୟ ୨୧ ଏକର ଜ‌ମି ଜବରଦଖଲକାରୀଙ୍କ କବଜାରେ ରହିଆସିଛି । ରାଜସ୍ୱ, ବନ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗର ଅବ୍ୟବହୃତ ଜମି ଜବରଦଖଲକାରୀଙ୍କ କବଜାରେ ପାରଳାଖେମୁଣ୍ଡିର ରାମନଗର ଅଞ୍ଚଳରେ ଥିବା ୦.୬୫୫ ଏକର ପରିମିତ ଜମିକୁ ଜବରଦଖଲ କରି ବ୍ରିକ୍ରି କରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା । ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ପାରଳାଖେମୁଣ୍ଡି ମୌଜାରେ ଥିବା ୨୩୨୪ ନମ୍ବର ଖାତାର ୨୧୬୧ନମ୍ବର ପ୍ଲଟ ନାଳ କିସମ ଜମିକୁ ଜବର ଦଖଲ ପାଇଁ ପ୍ରୟାସ ହୋଇଥିଲା । ଲୋକଙ୍କ ଅଭିଯୋଗ ପରେ ରାଜସ୍ୱ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଜମି ମାପଚୁପ କରି ସାଇନ ବୋର୍ଡ ଲଗାଇ ଏଭଳି ଦୃଢ଼ ପଦକ୍ଷେପ ନେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ