ଭୋଟର ପରିଚୟ ପତ୍ର ଓ ଭୋଟର ସେବା ପୋର୍ଟାଲର ବୟସରେ ତାଳ ମେଳ ନାହିଁ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ଦ୍ୱାରା ୮୦ ବର୍ଷରୁ ତଦୁର୍ଦ୍ଧ ବୃଦ୍ଧବୃଦ୍ଧାମାନଙ୍କୁ ୩ ହଜାର ୫ଶହ ଟଙ୍କା ଲେଖାଁଏ ବର୍ଦ୍ଧିତ ଭତା ପ୍ରଦାନ କରାଯିବାର ଘୋଷଣା କରାଯାଇଛି । କିନ୍ତୁ ବିଭାଗୀୟୀ ଅଧିକାରୀଙ୍କ ଦାୟିତ୍ୱହିନତା ଯୋଗୁ ଭୋଟର ପରିଚୟ ପତ୍ରର ବୟସ ସହିତ ଭୋଟର ସେବା ପୋର୍ଟାଲର ବୟସ ମଧ୍ୟରେ ତାଳ ମେଳ ନ ରହିବାରୁ ଅନେକ ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ଶିଖର ପଂଚାୟତର ଦାଶରଥୀ ବିଶ୍ୱାଳଙ୍କର ଭୋଟର ପରିଚୟପତ୍ର ତଥ୍ୟ ଅନୁସାରେ ଜାନୁଆରୀ ୧୯୯୪ ମସିହା ଅନୁସାରେ ୫୮ ବର୍ଷ ହୋଇଥିବା ବେଳେ ଭୋଟର ସେବା ପୋର୍ଟାଲ ତଥ୍ୟ ଅନୁସାରେ ଦାଶରଥୀଙ୍କ ବୟସ ୭୭ ବର୍ଷ ଦର୍ଶାଯାଇଛି । ସେହିପରି ଲୋଭାବତୀ ବିଶ୍ୱାଳଙ୍କର ଭୋଟର ପରିଚୟ ପତ୍ର ତଥ୍ୟ ଅନୁସାରେ ଜାନୁଆରୀ ୧୯୯୪ରେ ୫୦ବର୍ଷ ହୋଇଥିବା ବେଳେ ଭୋଟର ସେବା ପୋର୍ଟାଲରେ ୭୧ବର୍ଷ ହୋଇଥିବା ଜଣାଯାଇଛି । ଭୋଟର ପରିଚୟ ପତ୍ର ଆଧାରରେ ୨୦୨୪ ସୁଦ୍ଧା ଦାଶରଥୀଙ୍କୁ ୮୮ ବର୍ଷ ହୋଇଥିବା ବେଳେ ଲୋଭାବତୀଙ୍କୁ ୮୦ବର୍ଷ ହୋଇଛି । କିନ୍ତୁ ଭୋଟର ସେବା ପୋର୍ଟାଲ ଅନୁଯାୟୀ ଭତା ପ୍ରଦାନ କରାଯାଉଥିବାରୁ ଉକ୍ତ ଦୁଇ ହିତାଧିକାରୀ ବର୍ଦ୍ଧିତ ଭତାରୁ ବଂଚିତ ହେବାର ସମ୍ଭାବନା ରହିଛି । କେବଳ ଏହି ଦୁଇ ଜଣ ନୁହଁନ୍ତି ବ୍ଳକର ୧୬ଟି ପଂଚାୟତରେ ଅନେକ ହିତାଧିକାରୀ ଭୋଟର ପରିଚୟ ପତ୍ର ଓ ଭୋଟର ସେବା ପୋର୍ଟାଲରେ ବୟସର ତାରତମ୍ୟ ଯୋଗୁ ଭତା ପାଇବାରୁ ବଂଚିତ ହେବେ । ସେହିପରି ବ୍ଳକର ଅନେକ ହିତାଧିକାରୀଙ୍କ ଭୋଟର ପରିଚୟ ପତ୍ରରେ ବୟସ ୬୦ ବର୍ଷ ହୋଇ ସାରିଥିଲେ ମଧ୍ୟ ପୋର୍ଟାଲରେ ୬୦ବର୍ଷରୁ କମ୍ ଦର୍ଶାଯାଇଛି । ଯାହାଫଳରେ ଅନେକ ହିତାଧିକାରୀ ସରକାରଙ୍କର ଏହି ଜନମଙ୍ଗଳ ଯୋଜନାରୁ ବାଦ୍ ପଡିଥିବା ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ,କମ୍ରେଡ ସୁବାସ ସ୍ୱାଇଁ, ଯୁବନେତା ଶ୍ରୀକାନ୍ତ ସ୍ୱାଇଁ,ସମାଜସେବୀ ବଂଶୀଧର ବେହେରା ଆଦି ମତବ୍ୟକ୍ତ କରିଛନ୍ତି । ତେଣୁ ପ୍ରଶାସନିକ ମନୋମୁଖି କାର୍ଯ୍ୟ ଯୋଗୁ ସାଧାରଣ ହିତାଧିକାରୀ ଭତାରୁ ବଂଚିତ ହେଉଥିବା ଜଣାଯାଇଛି । ଏବିଷୟରେ ଜିପିଡିଓ ଦିନେଶ ରାୟଙ୍କୁ ପଚାରିବାରେ ଯେଉଁମାନଙ୍କର ଏପରି ତୃଟି ହୋଇଛି ସେମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦେଇ ଅନଲାଇନ ମାଧ୍ୟମରେ ଆବେଦନ କରିବା ପାଇଁ କହିଛନ୍ତି ।