କମ୍ୟୁନିଟୀ ରେଡିଓ ଆଗାମୀ ଦିନରେ ସମାଜ ପରିବର୍ତ୍ତନର ସୂତ୍ରଧର ହେବ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟ ସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରସାରକ ମାନଙ୍କ କର୍ମଶାଳ। ଅଗଷ୍ଟ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ କୋଣାର୍କ ଯାତ୍ରୀନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୨୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୫୦ ଜଣ ପ୍ରତିନିଧି ଏହି କର୍ମଶାଳାରେ ଯୋଗଦେଇଥିଲେ । ୟୁନିସେଫ୍ ସହଯୋଗରେ ୟଙ୍ଗ ଇଣ୍ଡିଆ ଦ୍ୱାରା ଆୟୋଜିତ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ରେ ସାମାଜିକ ତଥା ଆଚରଣଗତ ପରିବର୍ତ୍ତନ ତଥା ଲୋକାଭିମୁଖୀ ଓ ପ୍ରଭାବଶାଳୀ ରେଡିଓ ପ୍ରସାରଣ କ୍ଷେତ୍ରରେ କମ୍ୟୁନିଟି ରେଡିଓର ଭୂମିକା ସମ୍ପର୍କରେ ରାଜ୍ୟ ତଥା ରାଜ୍ୟ ବାହାରର ବରିଷ୍ଠ ଗଣ ଯୋଗାଯୋଗ ବିଶେଷଜ୍ଞମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଦେଶରେ ୨୦୦୨ ମସିହାରେ କମ୍ୟୁନିଟି ରେଡିଓ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ୫୦୦ରୁ ଉର୍ଦ୍ଧ୍ବ କମ୍ୟୁନିଟୀ ରେଡିଓ ବିଭିନ୍ନ ରାଜ୍ୟରେ ପ୍ରସାରଣ ଜାରି ରଖିଛି । ଏଥି ମଧ୍ୟରେ ଓଡ଼ିଶାରେ ୪୨ଟି କମ୍ୟୁନିଟୀ ରେଡିଓ ରହିଛି । ଏହି କମ୍ୟୁନିଟୀ ରେଡିଓ ଗୁଡିକ ରାଜ୍ୟର ୨୫ ଭାଗ ଜନବସତିରେ ପହଞ୍ଚି ପାରୁଛି । ଆଗାମୀ ଦିନରେ ଓଡ଼ିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କମ୍ୟୁନିଟୀ ରେଡିଓ ସ୍ଥାପନ କରିବାକୁ ମିଶନସି.ଆର.୩୧୪ ଅଭିଯାନ ତରଫରୁ ଲକ୍ଷ୍ୟ ରହିଛି ବୋଲି ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍. ଏ. ଶାହା ଅନସାରୀ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଜିର ସମାଜରେ ସାଧାରଣ ଲୋକଙ୍କର ବ୍ୟବାହାରିକ ପରିବର୍ତ୍ତନ ଦିଗରେ ଗୋଷ୍ଠି ବେତାର କେନ୍ଦ୍ର ଓ ସାମାଜିକ କର୍ମକର୍ତ୍ତାଙ୍କ ଭୂମିକାକୁ ନେଇ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ ,ଦଣ୍ଡବିଧି ଆଇନ ଓ ପରିଣାମ ସହ ସାମାଜିକ ସଚେତନତା , କୋମଳ ମୋତି ଶିଶୁଙ୍କ ସୁରକ୍ଷା, ପକ୍ସୋ ଆଇନର ସଚେତନତା ,କୁମାରୀ ମାତୃତ୍ଵ ରୋକ୍ ଲାଗିବା ,ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ,ଶିଶୁ ଓ ମାଆଙ୍କ ଶାରୀରିକ ବିକାଶରେ ସଚେତନତାର ଆବଶ୍ୟକତା,କିଶୋର ଓ କିଶୋରୀଙ୍କୁ ଜୀବନ କୌଶଳ ଶିକ୍ଷା, ଲିଙ୍ଗଗତ ଭେଦଭାବ ଦୂର କରି ଶିଶୁ ମାନଙ୍କର ଶିକ୍ଷା ତଥା ଦକ୍ଷତା ବୃଦ୍ଧିରେ ନିବେଶ କରିବା ପାଇଁ ଅଭିଭାବକଙ୍କୁ ପ୍ରବର୍ତ୍ତାଇବା ଆଦି ସମ୍ପର୍କରେ ଗୋଷ୍ଠି ବେତାର କେନ୍ଦ୍ରରେ ପ୍ରସାରଣ ନିମନ୍ତେ ବିଷୟ ପ୍ରସ୍ତୁତ କରିବାକୁ ଅଭ୍ୟସ୍ଥ କରାଯାଇଥିଲା । ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ. ଏ. ସଫିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାର ବିଭିନ୍ନ ଦିବସରେ ୟୁନିସେଫର ବିଶେଷଜ୍ଞ ଡ. ସୁଗତ ରାୟ, ପରାମର୍ଶଦାତା ଶାରଦା ଲାହାଙ୍ଗିର, ତଜୀନ କ୍ୟୁରେଶୀ, ଡକ୍ଟର ଅନୀଲ ପଟ୍ଟନାୟକ, ଯୋଗେନ୍ଦ୍ର ସିଂ, ଜ୍ୟୋତିର୍ମୟ ଗୋସ୍ଵାମୀ, ଅଜୟ ସିଂ, ଆକ୍ସନଏଡ୍ ର ଜାତୀୟ ପ୍ରକଳ୍ପ ଲିଡ ଘସିରାମ ପଣ୍ଡା, ବରିଷ୍ଠ ରେଡିଓ ପ୍ରସାରକ ଅଶୋକ ପାଣିଗ୍ରାହୀ, କୁମୁଦ ଶତପଥୀ, ପ୍ରୀତିକାନ୍ତ ପଣ୍ଡା ଅନୁଜ ଦାସ, ଇମରାନ ଅଲି , ଶେଖ ନିୟାଜ, ରେଡିଓ ଆଉଟରିଚର ନିର୍ଦ୍ଦେଶକ ସୁବ୍ରତ ପତି, ପ୍ରକାଶ ଖଟୋଇ ପ୍ରମୁଖ ଙ୍କ ସମେତ ଓଡ଼ିଶାର ୨୫ ଟି ଗୋଷ୍ଠି ବେତାର କେନ୍ଦ୍ରର ୫୦ ଜଣ ପ୍ରସାରକ ଯୋଗ ଦେଇଦେଇ ନିଜର ମତ ବ୍ୟକ୍ତ କରିବା ସହ ଆଗାମୀ ଦିନରେ କମ୍ୟୁନିଟୀ ରେଡିଓ ଗୁଡିକ କିପରି ପ୍ରଭାବଶାଳୀ ଓ ଲୋକାଭିମୁଖୀ ପ୍ରସାରଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିପାରିବ ଆଲୋଚନା କରିଥିଲେ । ଆୟୋଜକ ୟଙ୍ଗ ଇଣ୍ଡିଆର ସଭାପତି ବରିଷ୍ଠ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ. ଏ. ଶାହା ଅନସାରୀ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି କର୍ମଶାଳାକୁ ରୋଜାଲିନ, ଅନୁପ,କାଜଲ, ସାଗର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ