ଗଜପତି ନଗର ନାଳ ପାଣିରେ ଉବୁଡୁବୁ
ବ୍ରହ୍ମପୁର,(ଅନିଲ କୁମାର): ଅଳ୍ପ ବର୍ଷା ପାଣିରେ ବ୍ରହ୍ମପୁର ସହରର ପ୍ରମୁଖ ଗଜପତି ନଗର ଅଂଚଳରେ ଘରେ ଘରେ ନାଳ ପାଣି ପଶି ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ l ଦୀର୍ଘ ବର୍ଷରୁ ଏ ପ୍ରକାର ଦୟନୀୟ ଅବସ୍ଥା ପ୍ରତ୍ୟେକ ବର୍ଷ ଦେଖାଯାଉଥିଲେ ବି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରାଯାଇନାହିଁ l ସୂଚନା ଯୋଗ୍ୟ ଯେ, ଗତ ୨୧ତାରିଖରେ ମାତ୍ର ଏକ ଘଣ୍ଟାର ବର୍ଷା ଜଳରେ ବ୍ରହ୍ମପୁରର ଲକ୍ଷ୍ମୀ ନୃସିଂହ ସାହିର ୧୧ବର୍ଷର ଛାତ୍ର ବି. ସାଇରାମ ପାତ୍ର ମୁକୁଳା ଡ୍ରେନରେ ଭାସି ଯାଇ ଅକାଳ ମୃତ୍ୟୁର ଶିକାର ହେଲେ l ଗତ ଜୁନ ୧୮ତାରିଖରେ ଭୁବନେଶ୍ୱରରେ ଘଟିଥିବା ଏହିପରି ଘଟଣା ପରେ ସମଗ୍ର ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସମସ୍ତ ମୁକୁଳା ଡ୍ରେନ ଗୁଡିକ ଉପରେ ପ୍ଲେଟ ପକାଇବା, ସୂଚନା ଫଳକ ଲଗାଇବା ଆଦି ସତର୍କତା ଅବଲମ୍ବନ ପାଇଁ ନିର୍ଧେଶ ହୋଇଥିବା ସତ୍ୱେ ବ୍ରହ୍ମପୁର ମହାନଗର ନିଗମ ଏଥି ପ୍ରତି ଆଦୌ ଗୁରୁତ୍ୱ ନଦେଇ ସାଇରାମ ଭଳି ନିରୀହ ଶିଶୁ ମୃତ୍ୟୁର କାରଣ ହୋଇଛି l ଏଥି ପାଇଁ ନିଗମ କତୃପକ୍ଷଙ୍କୁ ସମ୍ପୂର୍ଣ ଦାୟୀ କରିଛି ମଞ୍ଚ ଓ ଦୋଷୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ଦାବୀ କରିଛି l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ବର୍ଷା ଜଳ ନିଷ୍କାସନ ନହୋଇ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାର ସଙ୍କଟକୁ ଆଡେଇବା ପାଇଁ ଆମ୍ବ ମାର୍କେଟରୁ ଚକ୍ରନଳା, ଧାନମେରା ସାହିଠୁ ନୀଳାଦ୍ରି ବିହାର, ଅଯୋଧ୍ୟା ନଗରଠାରୁ ଜୟପ୍ରକାଶ ନଗର, ଜୟପ୍ରକାଶ ନଗର ଠାରୁ ବାହାନା ନାଳ, ବିଦ୍ୟୁତ ପୁରୀ କଲୋନୀ ଠୁ ବାହାନା ନାଳ ପର୍ଯ୍ୟନ୍ତ ମୋଟ ୫ଟି ଭୂତଳ ଡ୍ରେନ ନିର୍ମାଣ ନିମନ୍ତେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଗତ ୨୦୧୭-୧୮ମସିହାରେ ପ୍ରାୟ ୧୯କୋଟି ଟଙ୍କା ମଂଜୁର ହୋଇଥିଲା l ତନ୍ମଧ୍ୟରୁ ତିନୋଟି କାମ ହୋଇଥିଲେ ବି ଅଯୋଧ୍ୟା ନଗରଠୁ ଜୟପ୍ରକାଶ ନଗର ଓ ଜୟ ପ୍ରକାଶ ନଗରଠୁ ବାହାନା ନାଳ କାମ କୌଣସି କାରଣ ବଶତଃ ନହୋଇପାରି ବିଶ୍ୱ ବ୍ୟାଙ୍କ ଟଙ୍କା ଫେରିଗଲା l ଗଜପତି ନଗରଠାରେ ଦେଖାଯାଉଥିବା ଦୀର୍ଘ ବର୍ଷର ଉତ୍କଟ ସମସ୍ୟା ତଥା କୃତ୍ରିମ ବନ୍ୟାର ସମାଧାନର ଆଶା ମଉଳିଗଲା l ଏଥିପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଗତ ୪.୮. ୨୦୨୨ରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜନ ସ୍ୱାର୍ଥ ମାମଲା ଦାଖଲ କରିଥିଲେ l ଅଭିଯୋଗକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ମାନ୍ୟବର ହାଇ କୋର୍ଟ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷଙ୍କୁ ନିର୍ଧେଶ ଦେଲେ l କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ବି ଗଜପତି ନଗରରେ ଅଳ୍ପ ବର୍ଷାରେ ଘରେ ନାଳ ନର୍ଦ୍ଧମାର ପାଣି ପଶୁଥିବା ସମସ୍ୟା ସମାଧାନ ହୋଇପାରିନାହିଁ l ତୁରନ୍ତ ସହରରେ ପ୍ରତିବର୍ଷ ଦେଖାଯାଉଥିବା କୃତ୍ରିମ ବନ୍ୟାର ସାମସ୍ୟା ସମାଧାନ ପାଇଁ ବର୍ଷା ଜଳ ନିଷ୍କାସନ ପ୍ରକ୍ରିୟାକୁ ସଜାଡ଼ିବା ଓ ସମସ୍ତ ପୁଙ୍ଗୁଳା ଡ୍ରେନ ଉପରେ ପ୍ଲେଟ ପକାଇବା ପାଇଁ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଦାବୀ କରିଛନ୍ତି l