ହାଟଡିହି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି , ୧୫୦ ଅଭିଯୋଗ ପଞ୍ଜିକୃତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଳ ସିଂହ ଦାୟିତ୍ଵ ଗ୍ରହଣ କରିବା ପରେ ହାଟଡିହି ବ୍ଲକ କାର୍ଯ୍ୟଳୟରେ ଏହା ତାଙ୍କର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବାବେଳେ ଲୋକମାନେ ଉତ୍ସାହିତ ହୋଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୫୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଡାଗୁଡୁ ମଧ୍ଯ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ହାଟଡିହି ବ୍ଳକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ପ୍ରଧାନ, ପିଡି କୁମାର ନାଗଭୂଷଣ, ଅତିରିକ୍ତ ଏସ.ପି ଅଟକୋ କୁଜୁରୁ, ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀ, ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା, ତହସିଲଦାର ହାବିଲ ଖାଖା ପ୍ରମୁଖ ଯୋଗଦେଇ ଥିବାବେଳେ ଜିଲ୍ଲା ତଥା ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୂକାରୀ ଉପସ୍ଥିତ ଥିଲେ। ହାଟଡିହି ବ୍ଲକର ସମସ୍ତ କର୍ମଚାରୀ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ୩୨ଜଣ ଭତ୍ତା ସମସ୍ୟା ନେଇ ଅଭିଯୋଗ କରିଥିବା ବେଳେ ଆବାସ ଯୋଜନାରେ ୬୪ଟି, ଯୋଗାଣ ବିଭାଗ ରେ ଗୋଟିଏ, ୩୧ଟି ରାଜସ୍ୱ ଅଭିଯୋଗ, ୧୫ଟି ଅଭିଯୋଗ ରାସ୍ତାଘାଟ ସମ୍ପର୍କୀୟ ଥିଲା।