ଦୀର୍ଘ ବର୍ଷରୁ ପୁରୁଣା ବାଲେଶ୍ୱରରେ ନାହାନ୍ତି ରାସନ ଡିଲର
ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଗରିବ ଶ୍ରେଣୀର ଜନସାଧାରଣଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ନିଃଶୁଳ୍କ ଖାଦ୍ୟ ସାମଗ୍ରୀ ପ୍ରଦାନରେ ଦୃଷ୍ଟି ଗୋଚର ହେଉଥବା ସମସ୍ୟାକୁ ନେଇ ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ ଉଠାଇଥିଲେ । ଜନସଂଖ୍ୟା ତଥା ରାସନ କାର୍ଡଧାରୀଙ୍କ ସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡିଲର ନଥିବାରୁ ରାସନ ସାମଗ୍ରୀ ପାଇବାକୁ ଲୋକଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ବିଶେଷ କରି ରୋଗୀ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏଥିପାଇଁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଓଡିଶାରେ ରାସନ କାର୍ଡଧାରୀ ଅନୁପାତରେ ତଥା ଭୌଗୋଳିକ ସ୍ଥିତି ଅନୁଯାୟୀ କେତେ ଡିଲର ଆବଶ୍ୟକ ଥିବା ବେଳେ ବାସ୍ତବିକ କ୍ଷେତ୍ରରେ କେତେ ସଂଖ୍ୟକ ଡିଲର ନିଯୁକ୍ତି ହୋଇଛନ୍ତି ସେ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ଏ ଦିଗରେ ନୂତନ ଡିଲର ନିଯୁକ୍ତି ପାଇଁ ସରକାରଙ୍କ ନିୟମ ବିଷୟରେ ସେ ପଚାରିଥିଲେ । ଏହା ସହିତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ନୂତନ ଡିଲର ନିଯୁକ୍ତି ପାଇଁ ସରକାରଙ୍କ ଯୋଜନା ବାବଦରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଥିଲେ । ଅନ୍ୟପକ୍ଷରେ ରାସନ କାର୍ଡଧାରୀଙ୍କୁ ସମ୍ପ୍ରତି କେବଳ ଚାଉଳ ପ୍ରଦାନ କରାଯାଉଥିବା ବେଳେ ବିଭିନ୍ନ ରୋଗରେ ପିଡିତ ସଂଖ୍ୟାଧିକ ବ୍ୟକ୍ତିଙ୍କୁ ପୂର୍ବଭଳି ଗହମ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଯୋଜନା ରହିଛି କି ବୋଲି ଶ୍ରୀ ଦତ୍ତ ପ୍ରଶ୍ନ କରିଥିଲେ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ସାଧାରଣତଃ କୌଣସି ସ୍ଥାନର ଜନସଂଖ୍ୟା, ରାସନ କାର୍ଡଧାରୀଙ୍କ ସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ନେଇ ବିଚାରକୁ ନେଇ ଓଡିଶାରେ ଡିଲର ନିଯୁକ୍ତି ହେଉଥିବା ବେଳେ ସମ୍ପ୍ରତି ରାଜ୍ୟରେ ସମୁଦାୟ ୧୧,୯୩୧ଜଣ ଡିଲର ଖାଦୟ ଯୋଗାଣ ପାଇଁ କାର୍ଯ୍ୟରତ ଅଛନ୍ତି । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଡିଲର ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଦ୍ୱାରା ନୂତନ ଡିଲର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । କେନ୍ଦ୍ରସରକାରଙ୍କର ଆବଂଟନ ପତ୍ର କ୍ରମେ ରାଜ୍ୟରେ ଜୁଲାଇ, ୨୦୨୨ ମସିହା ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରାସନ କାର୍ଡ ମାଧ୍ୟମରେ ଅଗ୍ରାଧିକାର ପରିବାରର ସଦସ୍ୟଙ୍କୁ ମାସିକ ମୁଣ୍ଡପିଛା ୫ କି.ଗ୍ରା. ଓ ଅନ୍ତୋଦୟ ଅନ୍ନ ଯୋଜନା ଅନ୍ତର୍ଗତ ପରିବାର ପିଛା ମାସିକ ୩୫ କିଲୋଗ୍ରାମ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ଖାଉଟିମାନଙ୍କୁ ପୂର୍ବ ଭଳି ରାସନ କାର୍ଡ ମାଧଯୟମରେ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବା ନେଇ ପ୍ରସ୍ତାବ ସରକାରଙ୍କ ବିଚାରଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ସେହିପରି ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ଠାରେ ନୂତନ ଡିଲର ନିଯୁକ୍ତି କରିବା ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିବେ କି ବୋଲି ବିଧାୟକ ଶ୍ରୀ ଦତ୍ତଅନ୍ୟ ଏକ ପ୍ରଶ୍ନ କରିଥିଲେ । ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ପୁରୁଣା ବାଲେଶ୍ୱର ଠାରେ ଡିଲର ନିଯୁକ୍ତି କରିବା ପାଇଁ ଓଡିଶା ସାଧାରଣ ବଂଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ଅନୁଯାୟୀ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଉତରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ।