ଦଧିବାବନପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଆଣ୍ଠୁଏ ପାଣି

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ମହିଳା ଓ ଶିଶୁବିକାଶ ଯୋଜନା ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । କେଉଁଠି ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠି ଅଙ୍ଗନବାଡି କର୍ମୀଙ୍କ ଘରେ ତ ଆଉ କେଉଁଠି କ୍ଲବଘର ବାରଣ୍ଡାରେ ଚାଲିଛି । ହାଟତିହି ବ୍ଲକର ୨୧୯ଟି କେନ୍ଦ୍ର ମଧ୍ୟରୁ ମାତ୍ର ଟି ୭୪ଟି କେନ୍ଦ୍ରରେ ଘର ଥିବା ବେଳେ ଅନ୍ୟକେନ୍ଦ୍ରଗୁଡିକ ଭିନ୍ନଭିନ୍ନ ସ୍ଥାନରେ ଚାଲିଛି । ବିଶେଷକରି ଦଧିବାବନପୁର ଅଙ୍ଗନବାଡି କେନ୍ଦ୍ରରେ ଏପରି ସମସ୍ୟାକୁ ନେଇ ଅଚ଼ଳାବସ୍ଥା ଦେଖିବାକୁ ମିଳିଛି । ଏହି କେନ୍ଦ୍ରଟି ଦୀର୍ଘ ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଏହା ବିପଦ ଶଙ୍କୁଳ ହୋଇ ପଡିଛି l ଏଠାରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆବଶ୍ୟକ ଘର ନଥିବାରୁ ଗୋଟିଏ ଘରେ ଜାକିଯୁକି ହୋଇ ବସୁଛନ୍ତି । ସାମାନ୍ୟ ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ପାଣି ପସିଯାଉ ଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଅଭିଯୋଗ ପାଇ ଗତବର୍ଷ ତତ୍କାଳୀନ ବିଡିଓ ଏବଂ ସହକାରୀଯନ୍ତ୍ରୀ ଉକ୍ତ କେନ୍ଦ୍ର ପରିଦର୍ଶନ କରିବା ପରେ ଏନେଇ ଅଙ୍ଗନବାଡି କର୍ତ୍ତୁପକ୍ଷ ଏହାକୁ ବିପଦ ଶଙ୍କୁଳ ଘୋଷଣା କରିଛନ୍ତି । କିନ୍ତୁ ଶିକ୍ଷାଦାନ ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସେହି ବିପଦ ଶଙ୍କୁଳ ଘରେ ଶିକ୍ଷାଦାନ ଚାଲିଛି । ଗତକାଲି ସକାଳେ ଓ ଆଜି ପ୍ରବଳ ବର୍ଷା ହେବାରୁ ଶ୍ରେଣୀଗୃହ ଭିତରେ ଆଣ୍ଠୁଏ ପାଣି ହେବାରୁ ଅଙ୍ଗନବାଡି କର୍ମୀ ବାଧ୍ୟହୋଇ ପିଲାଙ୍କୁ ଛୁଟି କରିଦେଇଥିଲେ । ଅଙ୍ଗନବାଡି କର୍ମୀ ସତ୍ୟଭାମା ଖଟୁଆଙ୍କ କହିବାନୁଯାଇ ଏହି କେନ୍ଦ୍ରଟି ରାସ୍ତା କଡ଼ରେ ଥିବାରୁ ଅନେକ ସମୟରେ ଜିଲ୍ଲା ତଥା ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ପରିଦର୍ଶନ କରି ବାହାବା ଦେଇଥାନ୍ତି । ସମସ୍ତେ କେନ୍ଦ୍ରର ଅବସ୍ଥା ବାବଦରେ ଜାଣିଥିଲେ ବି ଆଜି ପର୍ଯ୍ୟନ୍ତ ନୁତନ ଘର କିମ୍ବା ଏହାର କିଛି ସୁବ୍ୟବସ୍ଥା କଲେନି । ପ୍ରଶାସନ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ନାଏବ ସରପଞ୍ଚ କୈଳାଶ ଜେନା, ମିଥୁନ ଜେନା, ବାଇଧର ସାହୁ, ଜଗବନ୍ଧୁ ଜେନା, ବାପିନି କୁମାର ଜେନା, ସୁମତୀ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ମହିଳା ଓ ଶିଶୁବିକାଶ ଅଧିକାରୀଣୀ ଉମାମଣି ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନୂତନ ଶ୍ରେଣୀଗୃହ ନିର୍ମାଣ ପର୍ଯ୍ୟନ୍ତ ପାଖ ସ୍କୁଲରେ ଅଙ୍ଗନବାଡି କେନ୍ଦ୍ର ଚାଲିବା ପାଇଁ ବିଇଓ ଙ୍କୁ ଚିଠି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନୁମତି ମିଳିପାରିନି । ଆସନ୍ତା ସୋମବାର ଭିତରେ ଅନ୍ୟତ୍ର ଅଙ୍ଗନବାଡି କେନ୍ଦ୍ର ଚାଲିବାର ବ୍ୟବସ୍ଥା କରାଇବୁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ