କେନ୍ଦ୍ର ଅନୁଦାନ ହଡ଼ପକୁ ଧରିଲା କଏର ବୋର୍ଡ଼
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କର ଏମ୍.ଏସ୍.ଏମ୍.ଇ ମନ୍ତ୍ରଣାଳୟ ପାରମ୍ପରିକ ଶିଳ୍ପର ବିକାଶ ପାଇଁ ‘ଏସ୍.ଏଫ୍.ୟୁ.ଆର.ଟି.ଆଇ’ ନାମକ ଏକ କାର୍ଯ୍ୟକ୍ରମ ପ୍ରଚଳନ କରିଛି । କତାଶିଳ୍ପର ବିକାଶ ପାଇଁ ମନ୍ତ୍ରଣାଳୟ ଅଧିନରେ ଥିବା ‘କଏର ବୋର୍ଡ’କୁ ନୋଡାଲ ଏଜେନ୍ସି ରୂପେ ଦାୟିତ୍ୱ ପ୍ରଦାନ କରାଯାଇଛି । ଯେଉଁ ସଂସ୍ଥା ଏମ୍.ଏସ୍.ଏମ୍.ଇ ବିଭାଗରୁ କତା ଶିଳ୍ପର ବିକାଶ ପାଇଁ ଅନୁଦାନ ପାଇବ ତାହାର ତଦାରଖ କରିଥାଏ କଏର ବୋର୍ଡ । ଏହି ଯୋଜନାରେ କେନ୍ଦ୍ରୀୟ ଅନୁଦାନ ୯୦ ଭାଗ ଓ ହିତାଧିକାରୀ ଅନୁଦାନ ୧୦ ପ୍ରତିଶତ ରହିଥାଏ । କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେସରକାରୀ ସଂସ୍ଥା, ନିଜ ସହିତ ‘କଏର ବୋର୍ଡ଼’ର ଆଞ୍ଚଳିକ ଶାଖାର ଅଧିକାରୀଙ୍କୁ ମିଶାଇ ବ୍ୟାଙ୍କରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲି ଅନୁଦାନ ପାଇଥାଏ ଓ ଏହାକୁ ଖର୍ଚ୍ଚ କରିଥାଏ । ପୁରୀ ଜିଲ୍ଲାର ଗୋପସ୍ଥିତ ‘ସମାଜ କଲ୍ୟାଣ ଫାଉଣ୍ଡେସନ’ ସଂସ୍ଥା କୋଣାର୍କ କୟର କ୍ଲଷ୍ଟର ନାମରେ, ଏମ୍.ଏସ୍.ଏମ୍.ଇ ବିଭାଗରୁ କତା ଶିଳ୍ପର ବିକାଶ ପାଇଁ ଅନୁଦାନ ପାଇଥିଲା । କିନ୍ତୁ ଗତ ଜୁନ୍ ମାସରେ ଉକ୍ତ ସଂସ୍ଥାର ମୁଖ୍ୟ କାଶିନାଥ ଜେନା, କଏର ବୋର୍ଡ଼ ଆଞ୍ଚଳିକ ଅଧିକାରୀଙ୍କୁ ନ ଜଣାଇ, ତାଙ୍କର ଦସ୍ତଖତ ଓ ଷ୍ଟାମ୍ପକୁ ଜାଲ୍ କରି ଗୋପସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ଯୁଗ୍ମ ଆକାଉଣ୍ଟରୁ ୧୧ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଇଛନ୍ତି । ଏହା ଜଣାପଡ଼ିବା ପରେ ଭୁବନେଶ୍ୱରସ୍ଥିତ କଏର ବୋର୍ଡ଼ ଆଞ୍ଚଳିକ ଶାଖାର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପ ଥାନାରେ ସମାଜ କଲ୍ୟାଣ ଫାଉଣ୍ଡେସନର ମୁଖ୍ୟ କାଶୀନାଥ ଜେନାଙ୍କ ନାମରେ ଏକ ଏତଲା ଦାୟର କରିଛନ୍ତି । ଗୋପ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି । ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ କିଛି ଏନ୍.ଜି.ଓ ସଂସ୍ଥା ଏହାକୁ ବାଟମାରଣା କରୁଥିବାରୁ ଲୋକେ ନିନ୍ଦା କରିବା ଦେଖାଯାଉଛି ।