ପୂଜ୍ୟ ପୂଜା ସମିତି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର,(ଅନିଲ କୁମାର):ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପକ୍ଷରୁ ସଚ୍ଚୋଟ ରାଜନେତା, ଆଦର୍ଶବାନ ଶିକ୍ଷକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୬ତମ ଜୟନ୍ତୀରେ ଆଜି ସ୍ଥାନୀୟ ଆସ୍କାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ସମିତି ସମ୍ପାଦକ ଏସ.ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ସହରର ବହୁ ଉତ୍ସlହୀ ବୁଦ୍ଧିଜୀବୀ ଯୋଗଦେଇ ବିନାୟକ ବାବୁଙ୍କ ସ୍ମୃତି ଚାରଣ କରିଥିଲେ l ୧୯୧୮ମସିହା ଆଜିର ଦିନରେ ବ୍ରହ୍ମପୁର ସହରରେ ସେ ଜନ୍ମ ଗ୍ରହଣ କରିଥିଲେ l ରାଜନୀତିରେ ତାଙ୍କ ଭଳି ନିଷ୍କଳଙ୍କ ଓ ସଚ୍ଚୋଟ ବ୍ୟକ୍ତିତ୍ୱ ଅତ୍ୟନ୍ତ ବିରଳ l ଗାନ୍ଧିଜୀଙ୍କ ଡାକରାରେ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ଥିଲେ l ଜଣେ ଆଦର୍ଶବାନ ଶିକ୍ଷକ ଭାବେ ସେ ବହୁ ଛାତ୍ର ଛାତ୍ରୀଙ୍କୁ ଦେଶର ଉତ୍ତମ ନାଗରିକ ଭାବେ ଗଢି ତୋଳିଛନ୍ତି l ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ସେ ନବ ଉତ୍କଳ ସେବା ସଂଘ ପ୍ରତିଷ୍ଠା କରିଥିଲେ l ଛାତ୍ର ଜୀବନରୁ ହିଁ ସେ ବାମପନ୍ଥୀ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ଗରିବ ଅସହାୟଙ୍କ ପାଇଁ ଲଗାତାର ଭାବେ ଲଢେଇ କରୁଥିବା କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇଥିଲେ ଏବଂ ଏକଦା କମ୍ୟୁନିଷ୍ଟ ପାର୍ଟିରୁ ସେ ବ୍ରହ୍ମପୁର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଥିଲେ, ପରବର୍ତୀ ସମୟରେ ୧୯୬୧ରେ କଂଗ୍ରେସ ପାର୍ଟିରେ ଯୋଗଦେଇ ସେ ବ୍ରହ୍ମପୁର ବିଧାୟକ ଭାବେ ୧୯୬୭ରେ ଓ ୧୯୭୧ରେ ଦୁଇଥର ନିର୍ବାଚିତ ହୋଇଥିଲେ ଓ କୃଷି, ସମବାୟ, ନଗର ଉନ୍ନୟନ, ଅବକାରୀ ଓ ଅର୍ଥ ପରି ଗୁରୁତ୍ୱପୂର୍ଣ ବିଭାଗର ସେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ୧୯୬୭ରୁ ୧୯୭୨ପର୍ଯ୍ୟନ୍ତ ସେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବା ସହ ୧୯୭୬-୧୯୭୭ରେ ମାତ୍ର ଚାରି ମାସ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିଥିଲେ l ରାଜ୍ୟ ଶାସନକାଳରେ କ୍ଷମତାର ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଶୁଦ୍ଧl କୌଣସି ପ୍ରକାର ଲୋଭ ବା କ୍ଷମତାର ବଶବର୍ତ୍ତୀ ନ ହୋଇ ଜଣେ ସଚ୍ଚୋଟ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ସମଗ୍ର ଓଡିଶାରେ ଗୌରବର ଅଧିକାରୀ ହୋଇପାରିଛନ୍ତି l ଏଣୁ ଆଜିର ରାଜନୈତିକ ନେତା, କୁଜିନେତାଙ୍କ ଚରିତ୍ର ଓ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ ଦେଶ ସେବା ପାଇଁ ଉଦ୍ଧିଷ୍ଟ ରାଜନୀତି ଆଜି କଳଙ୍କିତ ହୋଇଯାଇଛି l ଏହି ଅସାଧୁ ରାଜନେତା ମାନେ ବିଭିନ୍ନ ପ୍ରକାର ଜନବିରୋଧୀ ପଦକ୍ଷେପ ନେଇ ନିଜେ ଦୁର୍ନୀତିଗ୍ରସ୍ତ ହେବା ସହ ଦେଶ ଓ ସମାଜର ବହୁଳ କ୍ଷତି କରିବାକୁ ମଧ୍ୟ ପଛଉନାହାନ୍ତି l ଏପରି ଆଦର୍ଶ ହୀନ ଓ ଦେଶ ବିରୋଧୀ ନୀତି କୁ ଆଜି ଉପସ୍ଥିତ ବୁଦ୍ଧିଜୀବୀ ମାନେ ଦୃଢ଼ ବିରୋଧ କରିଛନ୍ତି l ରାଜନୀତିକୁ ସ୍ୱଚ୍ଛ ନିର୍ମଳ କରିବାପାଇଁ ହେଲେ ନିସ୍ଵାର୍ଥପର ଓ ସଚ୍ଚୋଟ ବ୍ୟକ୍ତି ମାନେ ରାଜନୀତିକୁ ଆସିବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଛି l ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଓଷ୍ଟାର ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା, ବରିଷ୍ଠ ସାମାଜିକ କର୍ମୀ ସୁରେନ୍ଦ୍ର ନାଥ ପଣ୍ଡା, ଏସ. କେଶବ ଲିଙ୍ଗମ, ସିମାଞ୍ଚଳ ପଣ୍ଡା, ବିରେନ କୁମାର ବେହେରା, ହୃଷିକେଶ ପାତ୍ର, ଏମଏଏସଏମ ର ସାଙ୍ଗଠନିକ ସମ୍ପାଦକ ଅଳକ ନାଥ ମିଶ୍ର,ସମାଜସେବୀ ସୁରଥ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ବେହେରା, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ