ଜନସ୍ୱାସ୍ଥ୍ୟ ବିଭାଗ ବିଫଳ, ପମ୍ପ ହାଉସ୍ ଜେନେରେଟର ଅଚଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଟିପିସିଓଡିଏଲ୍ର ବିଫଳତା ପାଇଁ ୨୨ଘଣ୍ଟା ବିଦ୍ୟୁତ୍ ସରବରାହ ବିଛିନ୍ନ ରହିିଲା । ପାଣି ପମ୍ପହାଉସ୍ ଜେନେରେଟର ଅଚଳ ଥିବାରୁ କେନ୍ଦ୍ରାପଡା ସହରବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେଲେ । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ ନା ପାଣି ଯୋଗାଇ ଦେଲେ ନା ଟ୍ୟାଙ୍କରରେ ପିଇବା ପାଣି ଦେଲେ । ଏ ନେଇ ସହରରେ ଜନ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଭୟରେ ଲୁଚିଛନ୍ତି । ଠିକ ସେହିପରି ସହର ତଳି ଅଞ୍ଚଳ ଭରତପୁରରେ ମଧ୍ୟ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଥିଲା । ବୁଧବାର ଅପରାହ୍ନ ୨ଟା ବେଳେ ହଠାତ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ଭରତପୁର ଗ୍ରାମରେ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇ ପଡିଥିଲା । ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଟିପିସିଓଡିଏଲ୍ ବିଦ୍ୟୁତ ବିଭ୍ରାଟ ନେଇ ଘଟିଥିବା ୩୩କେଭି ଲାଇନକୁ ମରାମତି କରିବାକୁ ଉଦ୍ୟମ କରି ବିଫଳ ହେବାରୁ ଭୁବନେଶ୍ୱରରୁ ଯନ୍ତ୍ରୀ ଓ ଯନ୍ତ୍ରାଂଶ ଆସିବା ପରେ ୨୨ଘଣ୍ଟା ପରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ବିଦ୍ୟୁତ୍ ସରବରାହ ସଠିକ ହୋଇଥିଲା । ଏହି ସମୟ ମଧ୍ୟରେ ସମସ୍ତ ବୈଦ୍ୟୁତିକ ସଂଯୋଗ ଥିବା କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ପାଣି ଟିକିଏ ପିଇବାକୁ ଲୋକଙ୍କୁ ମିଳିନଥିଲା । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ ଅସହାୟ ହୋଇ ନିଷ୍କ୍ରିୟତା ଅବଲମ୍ବନ କରିଥିଲେ । କେନ୍ଦ୍ରାପଡା ସହରର ୨୧ଟି ୱାର୍ଡ ମଧ୍ୟରୁ ୬ରୁ ୨୧ୱାର୍ଡ ପର୍ଯ୍ୟନ୍ତ ୧୬ଟି ୱାର୍ଡରେ ବିଦ୍ୟୁତ୍ ସରବରାହ ୨୨ ଘଣ୍ଟା ଧରି ବନ୍ଦ ରହିଥିଲା । ଏହି ୨୧ଟି ୱାର୍ଡରେ ଜନସ୍ୱାସ୍ଥ୍ୟ ବିଭାଗ ୧୪ଟି ପାଣି ପମ୍ପ ହାଉସରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜେନେରେଟରର ବ୍ୟବସ୍ଥା କରିଛି । ବିଦ୍ୟୁତ୍ ବିଚ୍ଛେଦ ସମୟରେ ଜେନେରେଟର ମାଧ୍ୟମରେ ସହରବାସୀଙ୍କୁ ପାଣି ଯୋଗାଇ ଦିଆଯାଇଥାଏ । ତେବେ ୨୨ଘଣ୍ଟା ବିଦ୍ୟୁତ୍ ବିଚ୍ଛେଦ ହୋଇଥିବା ବେଳେ କୌଣସି ପମ୍ପ ହାଉସରୁ ଜେନେରେଟର ମାଧ୍ୟମରେ ପାଣି ଯୋଗାଇ ଦିଆଯାଇ ନଥିଲା । ସମସ୍ତ ଜେନେରେଟର ଅଚଳ ହୋଇଥିବାର ଜଣାପଡିଥିଲା । ଯାହାଫଳରେ ସହରବାସୀ ପାନୀୟ ଜଳ ପାଇବାରୁ ବଞ୍ôଚତ ହୋଇଥିଲେ । ପିଲା ଏବଂ ବରିଷ୍ଠ ନାଗରିକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହୋଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଥିଲା । ଶୌଚ ଏବଂ ସ୍ନାନ କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନରେ ଯୋଗ ଦେଇ ପାରିନଥିଲେ । ଜେନେରେଟର ଜାଳେଣୀ ବାବଦକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏପରି ଦୁର୍ଦ୍ଦିନରେ କଣ ପାଇଁ ଜେନେରେଟର ଅଚଳ ହେଲା ସେ ନେଇ ସହରବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଯେଉଁ ଯନ୍ତ୍ରୀଙ୍କ ଦାୟିତ୍ୱରେ ଏହି ଜେନେରେଟର ସେଟ ଗୁଡିକ ଅଛି ତାହାର ଚଳାଚଳ ସମ୍ପର୍କରେ ସେ କିପରି ଅବଗତ ନାହାଁନ୍ତି ସେ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡା ଉପଖଣ୍ଡ ଜନସ୍ୱାସ୍ଥ୍ୟ ବିଭାଗରେ ସହକାରୀ ଯନ୍ତ୍ରୀ ନଥିବା ବେଳେ ଯାଜପୁର ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏହି ଦାୟିତ୍ୱରେ ଅଛନ୍ତି । ଯାହାଫଳରେ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖା ଦେଇଛି । ଏପରି ଦାୟିତ୍ୱହୀନତା ଓ ଅବ୍ୟବସ୍ଥାକୁ ନେଇ ପୌରସଭ୍ୟ ଉମେଶ ନାୟକ କ୍ଷୋଭ ପ୍ରକାଶ କରିବା ସହିତ ଯଥାଶୀଘ୍ର କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ଉପଖଣ୍ଡ ନିମନ୍ତେ ସ୍ଥାୟୀ ସହକାରୀ ଯନ୍ତ୍ରୀ ନିଯୁକ୍ତି କରାଯିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।