ଜାନକୀଙ୍କ ପାଇଁ ଆବାସ ଯୋଜନା ସାତ ସପନ, ପଲିଥିନି ତଳେ ବିତୁଛି ଜୀବନ
ହାଟଡିହି, (ବିକାଶ ବିଶ୍ୱାଳ):ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ସବୁ ଯୋଜନା ଯେପରି ଫେଲ ମାରିଛି ଏହି ମହିଳାଙ୍କ ପାଇଁ। ନିଜ ଆଖିରେ ନ ଦେଖୁଲେ କେହି ବିଶ୍ବାସ କରିପାରିବେନି ମହିଳାଙ୍କ କଷ୍ଟ । ଚାରିବର୍ଷ ହେଲା ସ୍ଵାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ୧୧ବର୍ଷ ବର୍ଷ ହେଲା ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିବାକୁ ବସିଛି, ଚାଷ ଜମି ମଧ୍ୟ ନାହିଁ । ଏପରି ଅବସ୍ଥାରେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା । ଦୁଇଝିଅ, ଗୋଟିଏ ପୁଅ ଓ ସାମୀଙ୍କୁ ନେଇ ତାଙ୍କର ସଂଶାର । ଦୁଇ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ ବିଦେଶ ଚାଲିଗଲା କାମଧନ୍ଦା କରିବା ପାଇଁ । ସ୍ବାମୀ ଜଟାଧାରୀ ଗତ କରୋନା ସମୟରେ ଆଉ ପାରିକୁ ଚାଲିଗଲେ । ବାପାର ମୃତ୍ୟୁ ଖବର ପାଇ ବି ପୁଅ ଗାଁକୁ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସତ୍କାର ସହିତ ଶୁଦ୍ଧିକ୍ରୀୟା ହେଲା। ଘରେ ଖାଇବାକୁ ଗଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳୁଥୁବା ରେସନ ଚାଉଳ ଓ ଭତ୍ତା ହିଁ ତାଙ୍କର ସାହା ଭରଷା । ପ୍ରତିଦିନ ଗାଁ ବୁଲି ଯାହା ମାଗିକରି ଆଣୁଛତି ସେଇଥିରେ ତେଲ, ଲୁଣ , ପରିବାପତ୍ର ଟିକିଏ କିଣି ରୋଷେଇ କରି ଖାଉଛନ୍ତି । ଏପରି ଅଧାଦିନ ଉପବାସରେ ମଧ୍ୟ ଦିନ କାଟୁଛନ୍ତି ବିଧବା ଜାନକୀ । ସେମାନେ ରହୁଥିବା ମାଟିଘର ଅର୍ଥାଭାବରୁ ଛପର କରିନପାରିବାରୁ ଭାଙ୍ଗି ରୁଳି ନଷ୍ଟ ହୋଇଯାଇଛି । ଭଙ୍ଗା ବାରଣ୍ଡାରେ ଗୋଟିଏ ମସୁରି ଟାଙ୍ଗି ଦିନ କାଟୁଥିଲେ। କେତେବଳେ ଯେ ଘରର କାନ୍ଥ ତାଙ୍କ ଉପରେ ଭାଙ୍ଗି ନପଡିବ ତାହା କହି ହେବ ନାହିଁ । ଏ ସମ୍ପର୍କରେ ବାରମ୍ଵାର ଖବର ପ୍ରକାଶ ପାଇବାପରେ ତହସିଲ ପକ୍ଷରୁ ସଙ୍ଗେସଙ୍ଗେ ପଲିଥିନି ଯୋଗାଇ ଦିଆଯାଇ ଥିବାବେଳେ ତତ୍କାଳୀନ ବିଡିଓ ବିନିତା ବିଜୟିନୀ ତାଙ୍କ ଘର ପରିଦର୍ଶନ କରି ବାସ୍ତବତା ହୃଦୟଙ୍ଗମ କରିବା ପରେ ଘର ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ତତ୍କାଳୀନ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ସଙ୍ଗେ ସଙ୍ଗେ ବିଧବା ଉତ୍ତା ଯୋଗାଇ ଦେଇଥିଲେ।. ଉତ୍ତା ପାଇବା ପରେ ଘର ଖଣ୍ଡିଏ ପାଇବା ପାଇଁ ଆଶାବାଦୀ ଥିବା ଜାନକୀଙ୍କୁ ପରବର୍ତ୍ତି ସମୟରେ ହତାଶ ହେବାକୁୁ ପଡ଼ିଛି । ବ୍ଲକରେ ହଜାର ହଜାର ଆବାସ ଯୋଜନା ରେ ଘର ବଣ୍ଟନ ହୋଇଥିବା ବେଳେ ଜାନକୀଙ୍କୁ ଘର ଖଣ୍ଡିଏ ଦିଆଗଲାନି । ଫଳରେ ଏବେତାଙ୍କ ଅବସ୍ଥା ଦୁର୍ବିିସହ ହୋଇ ପଡିଛି । ତହସିଲପକ୍ଷରୁ ଦିଆଯାଇଥିବା ପାଲ ଖଣ୍ଡିକ ଚିରାଫଟା ହୋଇ ନଷ୍ଟ ହୋଇଯାଇଥିବା ବେଳେ ସେ ବାରଣ୍ଡାରେ ଛତା ମାରି ଶୁଆବସା କରୁଛନ୍ତି । ଏପରିକି ଚ଼େୟାରରେ ବସି ବସି ରାତି କାଟୁଛନ୍ତି । ଏ ନେଇ ସେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଘର ଖଣ୍ଡିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।