ନାଉଗାଁ ବ୍ଳକରେ ଆମ ଓଡିଶା ନବିନ ଓଡିଶା ଦିଗହରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଆମ ଓଡିଶା ନବିନ ଓଡିଶା ଏକ ପ୍ରକାର ଦିଗହରା ହୋଇଥିବା ଜଣାଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ତିରୁଣା ପଂଚାୟତ ଉର ଗ୍ରାମରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ର । ସୂଚନା ଫଳକ ତଥ୍ୟ ଅନୁସାରେ ଆମ ଓଡିଶା ନବିନ ଓଡିଶା ଯୋଜନାରେ କୁତାମଚଣ୍ଡୀ ମନ୍ଦିର ପରିସରରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ୩ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହି କାର୍ଯ୍ୟ ୧୪ ଡିସେମ୍ବର ୨୦୨୩ ରେ ଆରମ୍ଭ କରାଯାଇଥିଲା । ଗ୍ରାମମାନଙ୍କରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମର କୌଣସି ବୈଠକ ପାଇଁ ଉକ୍ତ ଗୃହଟି ଉର୍ଦ୍ଦିଷ୍ଟ ଅଟେ । କିନ୍ତୁ ଏହି ଗ୍ରାମରେ କୁତାମଚଣ୍ଡୀ ମନ୍ଦିର ପରିସରରେ ଥିବା ରୋଷ ଘରକୁ ଗୋଷ୍ଠୀ କେନ୍ଦ୍ର ଭାବେ ଦର୍ଶାଯାଇ ବିଲ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ମହେନ୍ଦ୍ର ଲେଙ୍କା ଏସଂକ୍ରାନ୍ତରେ ବିଡିଓ ତପନ କୁମାର ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୂର୍ବରୁ କୁତାମଚଣ୍ଡୀଙ୍କର ଏକ ରୋଷ ଘର ଥିଲା । ଉକ୍ତ ରୋଷ ଘରର କିଛି ଅଂଶକୁ ଭଙ୍ଗା ଯିବା ପରେ ଛାତ ପକାଯାଇ ଗୋଷ୍ଠୀ କେନ୍ଦ୍ର ଭାବେ ଦର୍ଶାଯାଇଛି । ଯେଉଁ ଘରେ ଏବେ ସୁଦ୍ଧା ଚୁଲି ରହିଥିବା ଦେଖିବାକୁ ମିଳୁଛି । ସରକାରଙ୍କ ନିୟମାନୁସାରେ ଯେ କୌଣସି ପ୍ରକଳ୍ପ ନିର୍ମାଣ କରାଯିବା ପୂର୍ବରୁ ପ୍ରଥମେ ସ୍ଥାନ ନିରୁପଣ କରାଯାଇ ଏହି ସ୍ଥାନର ଜିଇଓ ଟ୍ୟାଗ ଫଟୋ ଉତୋଳନ କରାଯିବ । ଏହାପରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ଏବଂ କାର୍ଯ୍ୟ ଶେଷ ହେବା ପରେ ଉକ୍ତ ପ୍ରକଳ୍ପର ଜିଇଓ ଟ୍ୟାଗ ଫଟୋ ମଧ୍ୟ ଉତୋଳନ କରାଯିବ । ତେବେ ଏହି ଗୋଷ୍ଠୀ କେନ୍ଦ୍ରର ଜିଇଓ ଟ୍ୟାଗ ଫଟୋ ଉତୋଳନ କରାଯାଇଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ବୋଲି ଜଣାଯାଇଛି । ଏବିଷୟରେ ବିଡିଓ ତପନ କୁମାର ମହାପାତ୍ରଙ୍କ ମତାମତ ନେବା ପାଇଁ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।