କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଏନ୍ଏସି ପରିସର ମଧ୍ୟରେ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ପରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା। ଏଥି ସହିତ କୋଦଳାର ବିଭିନ୍ନ ଓ୍ବାର୍ଡରେ ବହୁ ପ୍ରକଳ୍ପର ଲୋକାର୍ପଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଥିଲେ। ଦଣ୍ଡିଶ୍ୱର ମନ୍ଦିର ନିକଟରେ ଆଦର୍ଶ ଶ୍ମଶାନ, କୁମୁଟି ସାହି ଛକରେ ତାଳେଶ୍ୱର ପାର୍କ, କଲ୍ଯାଣ ମଣ୍ଡପ ନିକଟରେ ଦାଣ୍ଡି ମାର୍ଚ୍ଚ, କୋଦଳା ନୋଡାଲ୍ ସ୍କୁଲ୍ ନିକଟରେ ଓ୍ବାଚ୍ ଟାଓ୍ବାର ପ୍ରଭୃତି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଏହି ଅବସରରେ କଲ୍ଯାଣ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସହ ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ସମସ୍ତ କାଉନସିଲର, ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ଏନଏସିର ସମସ୍ତ କର୍ମଚାରୀ, ସ୍ବଚ୍ଛ ସାଥି, ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ। ଏନ୍ଏସି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ସଂପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ କୋଦଳା ଏନଏସି କୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଅଧ୍ଯକ୍ଷ ଶ୍ରୀ ନାୟକ। ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିବା ସହିତ ଲୋକମାନଙ୍କୁ ଉତ୍ତମ ଭାବରେ ମୌଳିକ ସେବା ଯୋଗାଇ ଦେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଭିନ୍ନ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।