ମାତାଲ ଯୁବକର ଉନ୍ମକ୍ତ କାଣ୍ଡ କାତିରେ ଆକ୍ରମଣ
ଯୁବକ ଗୁରୁତର, ଜଣେ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଦାରୁଭଦ୍ରା – ନିମିଗାଁ ମଧ୍ୟବର୍ତ୍ତୀ ମଦଭାଟି ନିକଟରେ ଜୈନିକ ମାତାଲ ଯୁବକଙ୍କ କାତି ଚୋଟରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ବନମାଳି ଦାସ (୨୩) । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବନମାଳି ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ଏକ ଧାନକଳରେ ଶ୍ରମିକ ଭାବେ କାମ କରି ଆସୁଥିଲେ। ଶନିବାର ଅପରାହ୍ନରେ ବନମାଳି ନିମିଗାଁ ନିକଟସ୍ଥ ଏକ ଦେଶୀ ମଦ ଦୋକାନକୁ ଯାଇଥିବା ବେଳେ ହିଞ୍ଜିଳି ଥାନା ବାଦିଆମ୍ବଗାଁର ଭଗବାନ ଜେନା ମଦ ପିଇ ବନମାଳିଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ବନମାଳି ପ୍ରତିବାଦ କରିବାରୁ ଭଗବାନ ଉତ୍ୟକ୍ତ ହୋଇ ଧରିଥିବା ଏକ ଧାରୁଆ କାତିରେ ବନମାଳିଙ୍କ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବନମାଳି ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ପରେ ଘଟଣାସ୍ଥଳରୁ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ। ଖବର ପାଇ ଦାରୁଭଦ୍ରା ଗ୍ରାମରେ ରହୁଥିବା ଆହତଙ୍କ ମାମୁଁ ପିଙ୍କୁ ଦାସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଞ୍ଚୁରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ନେଇ ଆହତ ବନମାଳୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୭୪୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ସନ୍ଧ୍ୟାରେ ହିଞ୍ଜିଳି ପୁଲିସ ବାଦିଆମ୍ବଗାଁରେ ପହଞ୍ଚି ଆକ୍ରମଣକାରୀ ଭଗବାନଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।