ପାରଳାରେ ସ୍ୱାୟତ୍ତ ଶାସନ ଦିବସ ପାଳନର ସମାବେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାରଳା ମୁନିସିପାଲିଟି ତରଫରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି. ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଗୁଣନିଧି ନାୟକ, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପାରଳା ମୁନିସିପାଲିଟିର ସାମଗ୍ରିକ ବିକାଶ ସହ ପାରଳା ସହରର ସର୍ବାଙ୍ଗୀନ ଉନ୍ନତି ଗୁରୁତ୍ୱାରୋପ କରିଥିଲେ. ପୌରାଧ୍ୟକ୍ଷା ନିର୍ମଳା ସେଠୀ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିବାବେଳେ ଉପାଧ୍ୟକ୍ଷ ଲେଙ୍କା ମଧୁଙ୍କ ସମେତ ମୁନିସିପାଲିଟିର ସମସ୍ତ କାଉନସିଲରମାନେ ଯୋଗ ଦେଇଥିଲେ. ଗତକାଲିର ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ସୁବାସ ନଗର ଠାରେ ଥିବା ମିନି ପାର୍କ, ୱାର୍ଡ ନଂ -୩ ରେ ଥିବା ଶିଶୁ ଉଦ୍ୟାନ ଆଦିରେ ବିଭିନ୍ନ ସାଜସଜ୍ଜା କରାଯାଇଥିଲା.ପରେ ବଡ଼ ବ୍ରାହ୍ମଣ ସାହି ଛକରେ ମୁକ୍ତା ଯୋଜନାରେ ନିର୍ମିତ ଫଳକକୁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନ କରିଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ମଧୁ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ.