ବାଲେଶ୍ୱର ଜିଲ୍ଲାସ୍କୁଲ୍ ଭୂସଂପତ୍ତିର ସୁରକ୍ଷା ପାଇଁ ସିଭିଲ୍ ସୋସାଇଟି ପକ୍ଷରୁ ଜନସଚେତନତା ଓ ଗଣଆନ୍ଦୋଳନ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସ୍କୁଲ୍ ଭୂସଂପତ୍ତିର ସୁରକ୍ଷାପାଇଁ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ବ୍ୟାପକ ଜନସଚେତନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ନିମିତ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍କୁଲ୍ ପରିଚାଳନା କମିଟିର ସଭାପତି ସଂଜୀବ କୁମାର ମିଶ୍ର, ପୁରାତନ ଛାତ୍ର ସଂସଦର ସଭାପତି ଡା. ସୁରେନ୍ଦ୍ରନାଥ ସାହୁ, ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ସଂପାଦକ ମନୋଜ ନାୟକଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଠାଜଳସେଚନ କର୍ମଚାରୀ ଭବନରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ ଜରିଆରେ ଶିକ୍ଷାମନ୍ତ୍ରୀ ଓ ରାଜସ୍ୱ ବିଭାଗ ମନ୍ତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲାର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନର ଦଖଲରେ ଥିବା ଭୂସଂପତ୍ତିର ସୁରକ୍ଷା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଦାବିପତ୍ର ପ୍ରଦାନ କରାଯିବ । ଗତ ୧୯୮୧ ମସିହାରେ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ରାଜସ୍ୱ ବିଭାଗର ନିର୍ଦ୍ଦେଶନାମା ଓ ୨୦୦୨ ମସିହାରେ ତତ୍‌କାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସେପ୍ଟେମ୍ବର ୨୫ ଓ ୨୬ ତାରିଖ ଲଗାତର ଦୁଇଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଗତ ୧୮୫୩ ମସିହାରେ ପ୍ରତିଷ୍ଠିତ ବାଲେଶ୍ୱର ଜିଲ୍ଲାସ୍କୁଲ୍ ଦଖଲରେ ବର୍ତ୍ତମାନ ଥିବା ବିଦ୍ୟାଳୟ ପରିସର ଓ ଖେଳପଡ଼ିଆର ମୋଟ ପ୍ରାୟ ୧୭ ଏକର ଭୂସଂପତ୍ତିକୁ ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରାଯାଇନଥିବାରୁ ସେହି ସଂପତ୍ତିକୁ ଜବର ଦଖଲ ପାଇଁ ବିଭିନ୍ନ ମହଲରୁ ଉଦ୍ୟମ ହେଉଛି । କିଛିଦିନ ଧରି କେତେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏହି ସଂପତ୍ତିର କିଛି ଅଂଶ ଜବର ଦଖଲ କରିଥିବାବେଳେ ପୌରପରିଷଦ ପକ୍ଷରୁ ସ୍କୁଲ୍‌ର ଖେଳପଡ଼ିଆରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ସମସ୍ତ ଜବରଦଖଲ ଉଚ୍ଛେଦ ସହ ଏହି ପୁରାତନ ଶିକ୍ଷାନୁଷ୍ଠାନର ଭୂସଂପତ୍ତି ସୁରକ୍ଷା ପାଇଁ ପଥପ୍ରାନ୍ତ ସଭା, ପ୍ରଚାରପତ୍ର ବଣ୍ଟନ ଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କ ବ୍ୟାପକ ସମର୍ଥନରେ ପ୍ରସ୍ତାବିତ ଗଣତାନ୍ତ୍ରିକ ଆନ୍ଦୋଳନକୁ ସଫଳ କରିବାକୁ ଏହି ବୈଠକରେ ଆଶା ପ୍ରକାଶ କରାଯାଇଛି । ବିଭିନ୍ନ ସାମାଜିକ ଓ ଗଣସଂଗଠନମାନଙ୍କ ପକ୍ଷରୁ ସର୍ବଶ୍ରୀ ଦାମୋଦର ନାୟକ, ସୀତାରାମ ପ୍ରଧାନ, ସନ୍ତୋଷ ସାହୁ, ରାଜେଶ ଗିରି, ରମେଶ ଚନ୍ଦ୍ର ଜେନା, ବେଣୁଧର ସାହୁ, ମହମ୍ମଦ ଇକ୍‌ବଲ୍ ଖାଁ, ଯୋଗେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ପଣ୍ଡା, ପ୍ରଶାନ୍ତ କୁମାର ପାଢ଼ୀ, ଭରତ ଚନ୍ଦ୍ର ସେଠୀ, ନୀଳକଣ୍ଠ ବିଶ୍ୱାଳ, ସୋମନାଥ ନାୟକ, ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଅଶୋକ କୁମାର ଦାସ, ବିଜୟ କୁମାର ରଣା, ସୁଶାନ୍ତ କୁମାର ବେହେରା, କମଳାକାନ୍ତ ବେହେରା, ସତ୍ୟେନ୍ଦ୍ର କୁମର ଦାସ, ଶରତ ଚନ୍ଦ୍ର ଦଳାଇ, ଅନୁସୂୟା ନାୟକ, ଶିରୀଶ ଚନ୍ଦ୍ର ଚାନ୍ଦ, ନାରାୟଣ ପଣ୍ଡା, ଧୀରେନ୍ଦ୍ର କୁମାର ପାଣି, ଜ୍ଞାନାନନ୍ଦ ମିଶ୍ର, ଶ୍ୟାମସୁନ୍ଦର ଜେନା, ବିଜୟ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ଦାବିକରି ପ୍ରସ୍ତାବିତ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ