ତେନ୍ତୁଳିନଣ୍ଡା–ଖପରାଖାଇ ରାସ୍ତା ଅସୁରକ୍ଷିତ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ଦାବି

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ତେନ୍ତୁଳିନଣ୍ଡା ଠାରୁ ଖପରାଖାଇ ଖାଇ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ଅସୁରକ୍ଷିତ ହୋଇ ପଡିଛି । ଗାଁକୁ ରାସ୍ତା ନଥିବାରୁ ଜଳସମ୍ପଦ ବିଭାଗର କେନାଲ ଆଡିକୁ ଗାଁ ଲୋକମାନେ ରାସ୍ତାଭାବେ ବ୍ଯବହାର କରିଥାନ୍ତି I ଏହି ରାସ୍ତା ଉପରେ ଖପରାଖାଇ, ବନ୍ତଳା ଆଦି ଦୁଇଟି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ଗତ ଦୁଇବର୍ଷ ତଳେ ବ୍ଲକ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ କରାଯାଇ ରାସ୍ତାର ଖାଲଖମା ପୋତାଯାଇ ଯାତାୟତ ଉପଯୋଗୀ କରାଯାଇଥିଲା । ରାସ୍ତାଟି ଉନ୍ନତମାନର ହୋଇନଥିବାରୁ ବର୍ଷା ହେବାପରେ ପୁନର୍ବାର ବଡ ବଡ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟତରେ ସମସ୍ଯା ସୃଷ୍ଟି କରିଛି । ଉକ୍ତ ରାସ୍ତାଟି ଜଳ ସେଚନ ବିଭାଗ ଅଧୀନରେ ଥିବାରୁ ପଞ୍ଚାୟତ କିମ୍ବା ବ୍ଲକ କର୍ତ୍ତୁପକ୍ଷ କେହି ଏଥି ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ବାରମ୍ଵାର ଦାବି ସତ୍ତ୍ୱେ ଜଳ ସେଚନ ବିଭାଗ ମଧ୍ୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉନ୍ନ‌ତମାନର ରାସ୍ତା ନିର୍ମାଣ କରୁନାହିଁ । ଯେଉଁଥି ପାଇଁ ରାସ୍ତାଟି ଅସୁରକ୍ଷିତ ହୋଇପଡୁଛି । ଏହାକୁ ନେଇ ବିଭିନ୍ନ ସମୟରେ ଗାଁର ଲୋକ ମାନେ ପ୍ରଶାସନ ଓ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ଯ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନାହିଁ । ଫଳରେ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ଉନ୍ନ‌ତମାନର ରାସ୍ତା କରାଯିବାକୁ ଗ୍ରାମର କିଶୋର ଚନ୍ଦ୍ର ଜେନା, ଅଜିତ ନାୟକ, ଅମିତ ନାୟକ, ହରେକୃଷ୍ଣ ଜେନା, ଶରତ ନାୟକ, ଅଲେଖ ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, ଉଦୟ ନାଥ ପରିଡା, ସୁବାଷ ନାୟକ, ଭଗବାନ ବେହେରା ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ