ସାମ୍ବାଦିକମାନଙ୍କ ପାଇଁ ଖୁବ୍ ଶୀଘ୍ର ପେନସନ ବ୍ୟବସ୍ଥା ହେଉଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାରେ ସର୍ବପ୍ରଥମଥର ପାଇଁ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରୁଥିବା ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି । ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜ୍ଞାନ ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ଆଲୋଚନା ସମୟରେ ଶ୍ରୀ ମାଝୀ ମତ ଦେଇଥିଲେ । ଦେଶର ଅନ୍ୟ ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାନା ଓ ଝାଡ଼ଖଣ୍ଡ ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଚାଲୁରହିଛି ଏବଂ ବହୁବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ବର୍ତ୍ତମାନ ରାଜ୍ୟରେ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳିତ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବାରୁ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଓଡ଼ିଶାରେ ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ ନୋଡ଼ାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ହେଉଛି । ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଚିହ୍ନଟ ଓ ପଞ୍ଜିକରଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା କରାଯାଇ ଆଗାମୀ ଜାନୁଆରୀ ୧ ତାରିଖ ଠାରୁ ୬୫ ବର୍ଷରେ ପଦାର୍ପଣ କରୁଥିବା ସାମ୍ବାଦିକମାନଙ୍କୁ ମାସିକ ୧୦ ହଜାର ଟଙ୍କା ମିଳିବ । ବରିଷ୍ଠ ସାମ୍ବାଦିକମାନଙ୍କ ସଂଖ୍ୟା ଅତି ବେଶିରେ ୫୦ଜଣ ଥିବା ସର୍ଭେରୁ ଜଣାପଡ଼ିଛି । ରାଜ୍ୟ ସରକାର ଏ ଦିଗରେ ବିଚାର କରିବେ ବୋଲି ଶ୍ରୀ ମାଝୀ କହିଥିଲେ । ଏହି ପ୍ରତିନିଧି ଦଳରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଜ୍ଞାନ ଚୌଧୁରୀ, ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ଓଡ଼ିଶା ଗଣମାଧ୍ୟମ ପରିଷଦର ସମ୍ପାଦିକା ରୂପାଲି ଋତୁପର୍ଣ୍ଣା, ନ୍ୟୁଜ ବ୍ୟାଙ୍କର ସମ୍ପାଦିକା ଆଲ୍ଫା ରାୟ, ଓଡ଼ିଶା ନ୍ୟୁଜ୍ ଆଲଏନ୍ସର ସମ୍ପାଦକ ଶ୍ରୀ ବଳରାମ କାନୁନଗୋ ଓ ଡେଭଲପମେଣ୍ଟ ନ୍ୟୁଜ୍ ନେଟୱାର୍କର ବାର୍ତ୍ତା ସମ୍ପାଦକ ଶ୍ରୀ ନାରାୟଣ କରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରୀତାଞ୍ଜଳି ଆଚାର୍ଯ୍ୟ ସମସ୍ତ ସାମ୍ବାଦିକମାନଙ୍କର ପରିଚୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ।