ଚାନ୍ଦିପୁର ବେଳାଭୂମିର ବିକାଶ ଓ ବଗଦା ଏବଂ ପନ୍ତାକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବୀ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ଵ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମୀର ଉନ୍ନତି ପାଇଁ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଶୌଚାଳୟ, ପାଚେରୀ, ପ୍ରବେଶ ଦ୍ଵାର, ପାନୀୟ ଜଳ, ପାର୍କିଂ, ସୌନ୍ଦର୍ଯ୍ୟକରଣ, ବର୍ଜ୍ୟ ବସ୍ତୁ ପରିଚାଳନା, କାଫେଟେରିଆ, ଖାଦ୍ୟ ପଦାର୍ଥ ସହ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ବଜାରର ବିକାଶ, ସ୍ଥାନ ଚିହ୍ନଟ ଫଳକ ଓ ଫୋଟୋଗ୍ରାଫି ଜୋନ ପ୍ରଭୃତି ବାବଦରେ ୨କୋଟି ୯୪ ଲକ୍ଷ ୩୯ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୨୧-୨୨ ବର୍ଷରେ କୁଟୀର ନିର୍ମାଣ ପାଇଁ ୯୭.୦୭ଲକ୍ଷ ଟଙ୍କା ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଦିବ୍ୟାଙ୍ଗ ଜନଙ୍କ ସୁବିଧା ପାଇଁ ୨୪.୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଳାଭୂମିରେ ପର୍ଯ୍ୟଟନର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ସେହିପରି ସଦର ନିର୍ବାଚନମଣ୍ଡଳୀର ଦୁବୁଲଗଡି ସ୍ଥିତ ବଗଦା, କଷାଫଳର ସାରଙ୍ଗଦେବ ଓ ପରିଖୀର ପନ୍ତା ବେଳାଭୁମିକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ସହ ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପ ଉପରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ୧୯୯୪ ମସିହା ଠାରୁ କଷାଫଳର ସାରଙ୍ଗଦେବ ବେଳାଭୂମିକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଇଛି । ତେବେ ପ୍ରଚଳିତ ୨୦୧୭ ମସିହାର ପରିବର୍ତ୍ତିତ ନିୟମାବଳୀ ସଂକଳ୍ପ ପତ୍ର ଅନୁସାରେ ବାଲେଶ୍ଵର ଜିଲ୍ଲାପାଳଙ୍କ ଠାରୁ ପ୍ରସ୍ତାବ ପାଇବା ପରେ ବଗଦା ଓ ପନ୍ତା ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବାକୁ ସରକାର ବିଚାର କରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି।