ପ୍ରସ୍ତାବିତ ଜୁଡ଼ିସିଆଲ ହବ ପ୍ରତିଷ୍ଠାକୁ ଚୁଡାନ୍ତ କରିବା ପାଇଁ ବିଧାନସଭାରେ ଦାବୀ ରଖିଲେ ସଦର ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ବର ସହରର ଆଇଟିଆଇ ନିକଟ ଜଳସମ୍ପଦ ବିଭାଗ ଜମିରେ ପ୍ରସ୍ତାବିତ ଜୁଡ଼ିସିଆଲ ହବ ପ୍ରତିଷ୍ଠା ନେଇ ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ବିଧାନସଭାର ପ୍ରଶ୍ନକାଳରେ ପ୍ରସଙ୍ଗ ଉଠାଇଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। ଏ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପରି ନିଆଯାଇଛି କି ବୋଲି ସେ ପ୍ରଶ୍ନ ପଚାରିଥିଲେ। ଜୁଡ଼ିସିଆଲ ହବ ପ୍ରକଳ୍ପ ପାଇଁ ବାଲେଶ୍ବର ସହରର ଜଳସମ୍ପଦ ବିଭାଗର ଜମିକୁ ଚିହ୍ନଟ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହିକ୍ରମରେ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଦିଗରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତର ଦେବାକୁ ଯାଇ ରାଜ୍ୟ ଆଇନ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ ଯେ, ବାଲେଶ୍ବରରେ ଜୁଡ଼ିସିଆଲ ହବ ପ୍ରତିଷ୍ଠା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତରେ ବାଲେଶ୍ବର ଜିଲ୍ଲା ଓ ଦୌରା ଜଜ ଏଵଂ ଜିଲ୍ଲାପାଳ ଗତ ଅଗଷ୍ଟ ମାସ ୨୦ ତାରିଖରେ ପତ୍ର ସଂଖ୍ୟା ୪୯୪୩ ମାଧ୍ୟମରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏକ ଜମିକୁ ଅଧିଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ସମ୍ପୃକ୍ତ ଜମି ଅଧିଗ୍ରହଣ ହେବା ପରେ ସରକାର ବାଲେଶ୍ବରରେ ଜୁଡ଼ିସିଆଲ ହବ ପ୍ରତିଷ୍ଠା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି