୧୨୯ ଭୂସ୍ଖଳନ ସମ୍ଭାବ୍ୟ ସ୍ଥାନ ରହିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ବ୍ୟାପକ ଜଙ୍ଗଲ କ୍ଷୟ ଗଛ କଟା ଯିବା ଏବଂ ବିଭିନ୍ନ ପାହାଡ଼ରୁ ପଥର ଉତ୍ତୋଳନ କରିବା ଆଦି ଯୋଗୁଁ ଏହି ଜିଲ୍ଲାରେ ପରିବେଶ ଉପରେ ବିଶେଷ ପ୍ରଭାବ ପଡିଛି. ଯାହାକି ଦିନକୁ ଦିନ ବିପଦ ଓ ଆତଙ୍କର କାରଣ ହେବାକୁ ଯାଉଛି. ବର୍ତ୍ତମାନ ସମଗ୍ର ଗଜପତି ଜିଲ୍ଲାରେ ମୋଟ ୧୨୯ ଗୋଟି ଭୂସ୍ଖଳନ ସମ୍ଭାବ୍ୟ ସ୍ଥାନ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି. ଯାହାକୁ ନେଇ ସାଧାରଣରେ ଭୟ ଓ ଆତଙ୍କର କାରଣ ଦେଖାଦେବା ସହ ସାଧାରଣଙ୍କ ଠାରେ ଭୂସ୍ଖଳନଜନିତ ଚିନ୍ତା ବିଶେଷ ଭାବେ ବୃଦ୍ଧି ପାଇଛି. ଗଜପତି ଜିଲ୍ଲାରେ ୧୨୯ ଗୋଟି ଭୂସ୍ଖଳନ ସମ୍ଭାବ୍ୟ ସ୍ଥାନ ଚି଼ହ୍ନଟ ହେବା ବିଶେଷ କରି ସମଗ୍ର ଓଡିଶା ଠାରୁ ଗଜପତି ଜିଲ୍ଲାରେ ସର୍ବାଧିକ ୧୨୯ ଗୋଟି ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନ ଥିବା ସରକାରୀ ଭାବେ ଦର୍ଶା ଯିବା ସାଧାରଣରେ ବେଶ ଉଦବେଗ ପ୍ରକାଶ ପାଇଛି. ବିଗତ ୨୦୧୮ ଅକ୍ଟୋବର ତିତ୍ଲି ମହାବାତ୍ୟା ବେଳେ ବିଭୀଷିକା ରଚିଥିଲା ପ୍ରକୃତି। ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ୍ ଗଙ୍ଗାବାଡ଼ ପଞ୍ଚାୟତର ବାରଘର, ଲକ୍ଷ୍ମୀପୁର, କଇଁପୁର, ଗଣ୍ଡାହାତୀ ଆଦି ପଞ୍ଚାୟତ ସମେତ ରା.ଉଦୟଗିରି ଓ ନୂଆଗଡ଼ ବ୍ଳକ୍ର କିଛି ଅଞ୍ଚଳରେ ଭୂସ୍ଖଳନ ଯୋଗୁ ପାହାଡ଼ ଧସି ଚାପି ହୋଇ ୪୯ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହା ପରଠାରୁ ପ୍ରତିବର୍ଷ ବର୍ଷା ଦିନ ଆସିଲେ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟୁଛି. ୨୦୦୬ରେ ଗୁମ୍ମା ବ୍ଲକର ମିଞ୍ଜିରିଠାରେ ମଧ୍ୟ ଭୂସ୍ଖଳନରେ ୪ ଜଣଙ୍କ ଜୀବନହାନି ଘଟିଥିଲା। ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଗଜପତି ଜିଲ୍ଲାରେ ୧୨୯ ଭୂସ୍ଖଳନ ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଥିବା ଉତ୍ତର ରଖିବା ପରେ ଏ ନେଇ ପାହାଡ଼ ସନ୍ନିକଟ ଗ୍ରାମବାସୀଙ୍କ ଠାରେ ଚିନ୍ତା ବଢ଼ିଛି. ପ୍ରଶାସନ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ପରିବେଶବିତ୍ଙ୍କ ମତରେ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିବାର ମୁଖ୍ୟ କାରଣ ହେଉଛି ଅବାଧ ଜଙ୍ଗଲ ଓ ବୃକ୍ଷ କଟାଯିବା, ପୋଡ଼ୁଚାଷ, ବ୍ୟାପକ ଜଙ୍ଗଲ କ୍ଷୟ ଓ ବିଭିନ୍ନ ପଥର ସଂଗ୍ରହ ନାମରେ ପାହାଡ଼ ଗୁଡିକରୁ ପଥର ଉତ୍ତୋଳନ କରାଯାଇ ପାହାଡ଼ ଆଦି କ୍ଷୟ ହେବା. ଏଥିପାଇଁ ଜଳବାୟୁରେ ପରିବର୍ତ୍ତନ ଓ ଅସ୍ବାଭାବିକ ବର୍ଷା ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ରାଜ୍ୟ ସରକାର ଏଭଳି ଉଦବେଗଜନକ ଘଟଣା ନେଇ ତୁରନ୍ତ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଭାବେ ଜନ ସଚେତନ କରି ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂସ୍ଖଳନଜନିତ ବିପଦରୁ ସାଧାରଣଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଗତ ଅଗଷ୍ଟ ମାସ ୩ୟ ସପ୍ତାହରେ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର କିନ୍ତରସିଂ ପାହାଡ଼ରେ ଭୂସ୍ଖଳନ ଘଟି କୃତ୍ରିମ ନାଳ ସୃଷ୍ଟି ହେବା ସହ ବହୁ ଏକର କାଜୁ ଗଛ ସମ୍ପୂର୍ଣ ଭାବ ମାଟିରେ ମିଶିବା ସହ ଏକ ପାଣି ଟ୍ୟାଙ୍କ ଓ ଚେକ ଡ୍ୟାମ ମଧ୍ୟ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା. ଏପରି ଭାବେ ଭୂସ୍ଖଳନ ଗଜପତି ଜିଲ୍ଲାରେ ଭିନ୍ନ ଭିନ୍ନ ଭାବେ ଅନେକଥର ସଙ୍ଗଠିତ ହେବାରେ ଲାଗିଛି. ସରକାର କାଳକ୍ଷେପଣ ନୀତି ଅବଲମ୍ବନ ନକରି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ.