ଅଢ଼େଇଦ୍ଵାର – ଜମ୍ଭରା ରାସ୍ତା ଅବସ୍ଥା ଶୋଚ଼ନୀୟ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଢ଼େଇଦ୍ଵାର – ଜମ୍ଭରା ରାସ୍ତା ଅବସ୍ଥା ଶୋଚ଼ନୀୟ ହୋଇପଡିଛି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାବେଳେ ବିଭାଗର ଉଦାସୀନତା ଯୋଗୁଁ ରାସ୍ତା ମରାମତି ହେଉ ନ ଥିବାରୁ ଲୋକମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତାଟି ଉପରେ , ଢାଇପୋଖରୀ, ଜମ୍ଭରା , ସରିଦା , ଶାଳବଣୀ , ମଝିଗାଁ ଆଦି ଗ୍ରାମର ଲୋକମାନେ ନିର୍ଭର କରୁଥିବା ବେଳେ ଏହା ମଥୁରାପୁର ବୈତରଣୀ ପୋଳକୁ ସଂଯୋଗ କରୁଥିବାରୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ଗତ ୨୦୧୬/୧୭ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ବାଲିଗାଡି ଯାତାୟତ କରିବାରୁ ରାସ୍ତାଟି ଖାଲଖମାରେ ଭରପୁର ହୋଇଯାଇଛି । ରାସ୍ତାଟି ନିର୍ମାଣ ପରଠାରୁ ଆଉ ମରାମତି ହୋଇ ନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଛି । ଦୁଇ ତିନିଫୁଟ ଗଭୀରର ଖାଲ ଖମା ସୃଷ୍ଟି ହୋଇଥିବାରୁ ଗାଡି ତ ଦୁରର କଥା ସାଇକେଲ ଆରୋହୀ ଟିଏ ମଧ୍ୟ ନିରାପଦରେ ଯାତାୟତ କରିପାରୁନି । ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତାହତ ହେଉଥିବାର ନଜିର ଅଛି । ଏଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅରୁଣ ମଲ୍ଲିକ , ଅନାଦି ନାୟକ, ରଶା ନାୟକ, ପ୍ରକାଶ ସା, ପବିତ୍ର ସା, ଅଜିତ ସା, ପ୍ରସାନ୍ତ ସା, ସୁନିଲ ସା,ବାପି ପଣ୍ଡା, ମଦନ ସା, ଅମୂଲ୍ୟ ସା, ହରେକୃଷ୍ଣ ସେନାପତି, ଦିପୁ ସା, ପପୁ ବାରିକ ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ଯଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ କ୍ଷୀରୋଦ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତାଟି ବହୁ ପୁରୁଣା ହୋଇଗଲାଣି । ଏହାର ମରାମତି ପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଯାଇଛି , ଅନୁଦାନ ଅନୁମୋଦନ ହୋଇ ଆସିଲେ ରାସ୍ତା ନିର୍ମାଣ ହେବ ବୋଲି କହିଛନ୍ତି l