ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଶକ୍ତ କରିବ । ଏହି ଯୋଜନାରେ ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ । ମହିଳାମାନଙ୍କୁ ବାର୍ଷିର୍କ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ୫ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଗୋଟିଏ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ୟ କିସ୍ତି ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଦାନ କରାଯିବ । ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଲଗ୍ନ ଥିଲେ ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ । କେନ୍ଦ୍ରାପଡା ଜିଲ୍ଲାରେ ୭ଲକ୍ଷ ସୁଭଦ୍ରା ଯୋଜନା ଫର୍ମ ବଣ୍ଟା ଯାଇଛି । ମହିଳାମାନେ ବ୍ଲକ କାର୍ଯ୍ୟାଳୟ, ପୈାରପାଳିକା, ଶିଶୁ ବିକାଶ ଯୋଜନା ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ, ଅଙ୍ଗନୱାଡିକେନ୍ଦ୍ର, ମୋ ସେବା କେନ୍ଦ୍ରରୁ ମାଗଣାରେ ଏହି ଫର୍ମ ପାଇପାରିବେ । ଆଧାରକାର୍ଡ ସଂଶୋଧନ ଏବଂ ମୋବାଇଲ ନମ୍ବର ସଂଯୋଜଗୀକରଣ ପାଇଁ ଜିଲ୍ଲାରେ ୧୪୨ଟି ଶିବିର ଖୋଲାଯାଇଛି । ଏଥିରେ ମାଗଣାରେ ସମସ୍ତ ସେବା ଉପଲବ୍ଧ ହେବ । ଜିଲ୍ଲାରେ ୧୦୨୪ଟି ଜନସେବା କେନ୍ଦ୍ରରେ ସୁଭଦ୍ରା ଫର୍ମ ମିଳିବାର ବ୍ୟବସ୍ଥା କରାଯାଇଛି । ଏହାକୁ ତଦାରଖ କରିବା ପାଇଁ ୪୨୪ଜଣ ନୋଡାଲ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ଏଥିପାଇଁ କୈାଣସି ବ୍ୟକ୍ତି ବା ସଂସ୍ଥା ଅର୍ଥ ଦାବି କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ସୁଦ୍ଧା ଏସଙ୍କ୍ରାନ୍ତରେ ୪୨ଟି ଅଭିଯୋଗ ମିଳିଛି । ଏଗୁଡିକର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏସମ୍ପର୍କରେ କାହାରି କୈାଣସି ଅଭିଯୋଗ ଥିଲେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର କୁଇନି ଜେନାଙ୍କୁ ମୋବାଇଲ ନମ୍ବର- ୬୩୭୧୬୮୮୩୩୧ ଓ ଜିଲ୍ଲା ମମତା ସଂଯୋଜକ ମନୋରଞ୍ଜନ ଦାସଙ୍କୁ ମୋବାଇଲ ନମ୍ବର- ୯୪୩୮୩୭୩୯୨୮ରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେପୁଟୀ କଲେକ୍ଟର କୁଇନି ଜେନା, ମମତା ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ