ଧାନଫସଲ ନଷ୍ଟ କଲା ଡ୍ୟାମପାଣି

ହାଟଡିହି, (ବିକାଶ ବିଶ୍ୱାଳ):କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟି ନାଶ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଅନେକ ସ୍ଥାନରେ ଜଳ ବିହୁନେ ଚାଷ ବାସ ହୋଇ ପାରି ନଥିବା ବେଳେ ଢ଼େଙ୍କା ପଞ୍ଚାୟତ ଅଧିନ କାଳିଆମ୍ବ ଗ୍ରାମରେ ଜଳ ବହୁଳେ ଚାଷ ନଷ୍ଟ ହୋଇଯାଇଛି। ଏଠାରେ ଥିବା ଚେକ ଡ୍ୟାମ ନିକଟରେ ପାଖାପାଖି ୮/୧୦ ଏକର ଧାନକ୍ଷେତରେ ଡ୍ୟାମର ଅନାବଶ୍ୟକ ଜଳ ପ୍ରବେଶ କରି ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜକୁ ଦୀର୍ଘ ୫୫ବର୍ଷ ପୂର୍ବେ ହଦଗଡ଼ ଡ୍ୟାମ ନିର୍ମାଣ ବେଳେ ସେମାନଙ୍କୁ ଉପାନ୍ତ ଅଞ୍ଚଳ ତଥା ଅଭୟାରଣ୍ୟ ମଧ୍ୟରେ ରହିଥିବା ମଲ୍ଲିପଶି ଗ୍ରାମରୁ ବିସ୍ଥାପିତ କରି ପୁରୁଣାପାଣି(କାଳିଆମ୍ବ) ଠାରେ ଥଇଥାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସରକାର ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସେମାନଙ୍କୁ ଚାଷବାସ ନିମନ୍ତେ କିଛି କିଛି ପଟ୍ଟାଭୁକ୍ତ ଜଙ୍ଗଲଜମି ପ୍ରଦାନ କରିଥିଲେ। ଉକ୍ତ ପଟ୍ଟାଭୁକ୍ତ ଜଙ୍ଗଲଜମିରେ ସେମାନେ ବାପ-ଗୋସାପ ଅମଳରୁ ଚାଷବାସ କରି ଆସୁଥିଲା ବେଳେ ଚଳିତବର୍ଷ ଡ୍ୟାମ ମଧ୍ୟରେ ଅତ୍ୟଧିକ ବର୍ଷାଜଳ ଜମି ରହିବା ଏବଂ ସେସବୁ ଜଳ ଡ୍ୟାମ ତଳ ଭାଗକୁ ଛଡ଼ା ନଯିବାରୁ ଡ୍ୟାମର ଉପରି ଭାଗରେ ରହିଥିବା ସେମାନଙ୍କ ଚାଷବିଲ ଗୁଡିକ ଜଳମଗ୍ନ ହୋଇରହିଛି । ଯାହାକି ସେମାନେ ଲଗାଇଥିବା ସମସ୍ତ ଧାନଗଛ ଡ୍ୟାମ ଜଳରେ ବୁଡ଼ି ପଚିଯାଇ ନଷ୍ଟ ହୋଇଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏସମ୍ବନ୍ଧରେ ପଦକ୍ଷେପ ନେବା ସହ ଡ୍ୟାମଜଳ କିପରି ନିଷ୍କାସନ ହେବ ଏବଂ ଚାଷୀ କିପରି କ୍ଷତିପୂରଣ ପାଇବେ ସେନେଇ ତତ୍ପର ହେବାକୁ ଗ୍ରାମର ଶୁକଦେବ ବିନିସିଆ, ଅମର ନାଇକ,। ଅଜୟ ନାଇକ, ପାଣ୍ଡଵ ନାଇକ, ଅମିନ ସେନାପତି, ସୁନାରାମ ଟୁଡୁ, ବିକ୍ରମ ଟୁଡୁ, ନିରଞ୍ଜନ କଶିମାଳ, ସୁବର୍ଣ୍ଣ ଦଣ୍ଡପାଟ, ବାଙ୍କୁ ଦଣ୍ଡପାଟ, କଳ୍ପତରୁ ଖଣ୍ଡେଇ, ଭ୍ରମର ନାଇକ, ଦୁଃଖା କଲପାଳିଆ, ସାଲଖାନ ଟୁଡୁ, ଶ୍ୟାମ ମାଝୀ, ଚରଣ ନାଇକ ପ୍ରମୁଖଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ