ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ- ୨୦୨୪ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରସ୍ଥିତ ପଦ୍ମାବତୀ ପାର୍କଠାରେ ଆଜି ପୂର୍ବାହ୍ନ ଘ. ୧୧ ମି ସମୟରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ- ୨୦୨୪ ଅନୁଷ୍ଠିତ ହୋଇଯାଇଛି I ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଡି.ଆଇ.ଇ.ଟି, ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ବୋଷ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପ୍ରାଚୀ ତନୟା ଗିରି ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ବିକାଶ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ କି ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସକୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ I ଶିକ୍ଷିତ ଓ ସାକ୍ଷର ମଧ୍ୟରେ ପାର୍ଥକ୍ୟ ବୁଝି ସମାଜର କଲ୍ୟାଣ ହେତୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ I ସେହି ଭଳି ସମସ୍ତ ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଅତୀତର ମହାନ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ। ବର୍ତ୍ତମାନ ଜୀବନରେ କଠିନ ପରିଶ୍ରମ କରି ଭବିଷ୍ୟତରେ ଜଣେ ସୁନାଗରିକ ହେବା ପାଇଁ ସେମାନେ ପରାମର୍ଶ ଦେଇଥିଲେ।ଏହି ଅବସରରେ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୮୭, ବ୍ଲକସ୍ତରୀୟ ଏକାଡେମିକ ବର୍ଗରେ ୧୨୨୪ ଏବଂ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ବର୍ଗରେ ୨୭ ଜଣ ସମ୍ବର୍ଦ୍ଧିତ ହୋଇଥିଲେ I ବାହାନଗାର ମୋଟ ୧୧୩ ଜଣ, ବାଲିଆପାଳର ୧୬୧, ବସ୍ତାର ୧୨୩, ଭୋଗରାଇର ୧୧୮, ଜଳେଶ୍ୱରର ୧୨୮, ଖଇରାର ୧୨୧, ନୀଳଗିରିର ୧୧୦, ଔପଦାର ୧୦୫, ରେମୁଣାର ୧୦୯, ବାଲେଶ୍ୱର ସଦରର ୧୧୬, ସିମୁଳିଆର ୧୧୧ ଓ ସୋରର ୧୨୩ ଜଣ ସମ୍ବର୍ଦ୍ଧିତ ହୋଇଥିଲେ I ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମଞ୍ଚସ୍ଥ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀ ତନୟା ଗିରି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଅବସରରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ସେମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I ଏଠାରେ ସୂଚନା ଥାଉ କି, ଅପରାହ୍ନ ଘ. ୧୨.୧୫ ମି ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାରେ ହେଉଥିବା ଏହି ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହକୁ ଆଭାସୀ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ଠାରୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ