ଗଣେଶ ପୂଜା ଓ ପ୍ରଫେଟ ମହମ୍ମଦ ଜୟନ୍ତୀ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ଗଣେଶ ପୂଜା ଓ ପ୍ରଫେଟ ମହମ୍ମଦ ଜୟନ୍ତୀକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଆଜି ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନନୀୟା ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ସଦର ଏସ.ଡି.ପି.ଓ ଡ଼. ସଶାଙ୍କ ଶେଖର ବେଉରା, ସିଟି ଡିଏସପି ଶ୍ରୀ ଶୁଭ୍ରାଂଶୁ ଶେଖର ନାୟକ, ମାନ୍ୟବର ସାଂସଦ (ବାଲେଶ୍ୱର)ଙ୍କ ପ୍ରତିନିଧି ଓ ମାନ୍ୟବର ବିଧାୟକ (ସଦର)ଙ୍କ ପ୍ରତିନିଧି ପ୍ରମୁଖ ମଞ୍ଚାସୀନ ଥିଲେ I ଏଥି ସହିତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ କିଭଳି ସୁରୁଖୁରୁରେ ଆଗାମୀ ପର୍ବପର୍ବାଣି ଆୟୋଜିତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବିକାଶ ମତ ପ୍ରକାଶ କରିଥିଲେ I ଅନୁରୂପ ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଉତ୍ସବକୁ ଭାଇଚାରା ସହ ପାଳନ କରିବା ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ଗୁରୁତ୍ୱାରୋପ କରିଥିଲେ I ଚଳିତ ବର୍ଷ ଗଣେଶ ପୂଜା ଅବସରରେ ୪ ଗୋଟି ବର୍ଗ ଯଥା ଶ୍ରେଷ୍ଠ ଶୃଙ୍ଖଳିତ ମେଢ଼, ଶ୍ରେଷ୍ଠ ପାରମ୍ପରିକ ବାଦ୍ୟ, କଳା, ସଂସ୍କୃତି ମେଢ଼, ଶବ୍ଦ ପ୍ରଦୂଷଣ ମୁକ୍ତ ମେଢ଼ ଓ ଶ୍ରେଷ୍ଠ ସାମ୍ପ୍ରଦାୟିକ ସଦ୍ଭାବନା ପ୍ରଦର୍ଶିତ ମେଢ଼ ଅନ୍ତର୍ଗତ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି I ପୂର୍ବ ବୈଠକ ନିଷ୍ପତ୍ତି ଅନୁଯାୟୀ ପୂଜା ମଣ୍ଡପ ଓ ଭସାଣି ବେଳେ ବଫର ଓ ଲେଜର ଲାଇଟ ଉପରେ କଟକଣା ଲଗାଯାଇଛି I ଡିଜେ ଉପରେ ସମ୍ପୂର୍ଣ କଟକଣା ଲଗା ଯାଇଛି I ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ। ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ଓ ଆତସବାଜି ଉପରେ ମଧ୍ୟ ସମ୍ପୂର୍ଣ କଟକଣା ଲଗା ଯାଇଛି I ସିଟି ଡିଏସପି ଶ୍ରୀ ନାୟକ ମଞ୍ଚ ପରିଚାଳନା କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ସଭାକୁ ସୂଚନା ଦେଇଥିଲେ । ଆସନ୍ତା ଗଣେଶ ପୂଜା ଓ ପ୍ରଫେଟ ମହମ୍ମଦ ଜୟନ୍ତୀକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ମଞ୍ଚସ୍ଥ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ