୨୦ ଦିନିଆ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ
ବୁଗୁଡ଼ା,(ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀମାନଙ୍କ ୨୦ ଦିନିଆ ଆତ୍ମା ସୁରକ୍ଷା ତାଲିମ ଶିବିର ଅଗଷ୍ଟ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୬ ତାରିଖ ଦିନ ସମାପ୍ତ ହୋଇଯାଇଛି। ଯୁକ୍ତ ତିନି ଆତ୍ମ ସୁରକ୍ଷା କ୍ଳବ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରକୁ କ୍ଲବର ସଂଯୋଜିକା ଅଧ୍ୟାପିକା ଅନିତା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ତାଲିମ ଅନୁଷ୍ଠିତ ହୋଇଥିଲା। ୨୦ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରର ପରିସମାପ୍ତି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇ.କିୟୁ.ଏ.ସି. ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, କ୍ରୀଡା ସଂଗଠନ ଉପ ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଯୋଗ ଦେଇଥିଲେ। ବର୍ତ୍ତମାନର ସମାଜରେ ନିଜର ସୁରକ୍ଷା ପାଇଁ ଆତ୍ମ ସୁରକ୍ଷା ତାଲିମ ନିହାତି ଆବଶ୍ୟକ ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ମାଷ୍ଟର ଟ୍ରେନର ସମିତା ଜେନା ଓ ପୂଜାରଣୀ ସ୍ୱାଇଁ ୨୦ ଦିନରେ ଛାତ୍ରୀମାନଙ୍କୁ ଯେଉଁ ସବୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ କରିଥିଲେ ତାହା ଛାତ୍ରୀମାନେ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ। ଛାତ୍ରୀମାନଙ୍କ ତାଲିମରେ ଅତିଥି ବୃନ୍ଦ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ କ୍ରୀଡା ସଂଘ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।