ଗାଲେରି କଲେଜରେ ଗୁରୁ ଦିବସ ପାଳନ

ଭଞ୍ଜନଗର,(ସନ୍ତୋଷ ଜେନା): ଗାଲେରିସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଗୁରୁ ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ଗୌଡ, ମୁଖ୍ୟବକ୍ତା ରୂପେ ନାଟ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦତ୍ତ, ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଦୁର୍ଗା ମାଧବ ଦାଶ, ରଙ୍କନିଧି ପ୍ରଧାନ, ଦିବ୍ୟ ଲୋଚନ ବିଶ୍ୱାଳ ଓ ବିରୁପାକ୍ଷ ସାହୁ ଯୋଗ ଦେଇଥିଲେ। ପୂଜ୍ୟପୂଜା ଓ ପରମ୍ପରା ଅନୁସାରେ ଛାତ୍ର ଛାତ୍ରୀମାନେ ଗୁରୁ ମାନଙ୍କ ପାଦଧୌତ କରି ଚନ୍ଦନ ତିଳକ ଧୂପ ଦୀପ ଜାଳି ବନ୍ଦାପନା କରି ଗୁରୁ ଆଶିର୍ବାଦ କାମନା କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଗାଲେରି ଅଞ୍ଚଳର ସୁନାମ ଧନ୍ୟ ଶିକ୍ଷକ ସ୍ୱର୍ଗତ ପ୍ରଶ୍ନ କୁମାର ରଣା ଓ ପରଲୋକ ଗମନ କରିଥିବା ଗୁରୁ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଅଧ୍ୟାପକ ଦୁର୍ଗା ମାଧବ ଦାଶ ବେଦପାଠ କରିଥିଲେ। ଛାତ୍ରୀ ସଂଗ୍ରାମୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସଙ୍ଗୀତା ଗୌଡ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜ ତରଫରୁ ନିମନ୍ତ୍ରିତ ଦୁଇ ଅତିଥି ଶିକ୍ଷା ଗୁରୁ ଭାଗବତ ଗୌଡ ଓ ନାଟ୍ୟ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ଦତ୍ତଙ୍କୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଅଙ୍ଗବସ୍ତ୍ର, ପ୍ରଶଂସା ପତ୍ର, ପୁଷ୍ପ ଗୁଚ୍ଛ ଓ ପୁଷ୍ପ ହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀମାନେ ଗୁରୁ ଦିବସର ମହନୀୟତା, ସମାଜରେ ଗୁରୁ ମାନଙ୍କ ଭୂମିକା ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କଙ୍କ ମହାନତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ ସହିତ ଗୁରୁ ଆଶିଷ କାମନା କରିଥିଲେ। ସେହିପରି ମଞ୍ଚାସୀନ ଅତିଥି ମାନେ ଭାରତୀୟ ଆର୍ଯ୍ୟ ସନାତନ ସଂସ୍କୃତି ରେ ଗୁରୁ ମାନଙ୍କ ଭୂମିକା ଓ ଗୁରୁ ଶିଷ୍ୟର ପରଂପରା ଉପରେ ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ। ବିରୁପାକ୍ଷ ଓ ତେଜସ୍ୱୀନୀ ଅନ୍ତିମ ସଙ୍ଗୀତ ଗାନ କରିଥିଲେ। ଶ୍ରୀକାନ୍ତ, ସଙ୍ଗୀତା, ପବିତ୍ର, ଅଞ୍ଜଳି, ସୁଚିମ୍ମିତା, ଶିଶିର, ସୁମନ, ଝୁଲି, ତୁଳସୀ,ରୋଜାଲି ଆଦି ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବତନ ଛାତ୍ର ପ୍ରଶାନ୍ତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ଓ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ