ଦିବଂଗତ ପ୍ରଧାନଶିକ୍ଷକ ବିନୋଦ ବିହାରୀ ଦାସଙ୍କର ୧ମ ଶ୍ରାଦ୍ଧବାର୍ଷିକୀରେ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗୁରୁଦିବସ ଅବସରରେ ତାଡ଼ଦାସ୍ଥିତ ବରଡ଼ା ଯଦୁନାଥ ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱର୍ଗତ ବିନୋଦ ବିହାରୀ ଦାସଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଓ ‘ଅମ୍ଳାନ ପ୍ରତିଭା’ ସ୍ମରଣିକା ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱର୍ଗତ ପ୍ରଧାନଶିକ୍ଷକଙ୍କ ଚାନ୍ଦମାରି ପଡ଼ିଆ ବାସଭବନରେ ଆୟୋଜିତ ସଭାରେ ପୁରାତନ ଛାତ୍ରସଂସଦର ସଭାପତି ଲକ୍ଷ୍ମଣ କୁମାର ସେନାପତି ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଷ୍ଠିତ ପୁରାତନ ଛାତ୍ର,ଛାତ୍ରୀ ସେମାନଙ୍କର ପ୍ରିୟ ଗୁରୁଦେବଙ୍କର ସ୍ମୃତିଚାରଣ କରି ସ୍ୱର୍ଗତ ବିନୋଦ ବିହାରୀ ଦାସଙ୍କ ଛାତ୍ରବତ୍ସଳତା ଓ ଶିକ୍ଷାଦାନ ସହ ଆଦର୍ଶକୁ ଉଚ୍ଚପ୍ରଶଂସା କରିଥିଲେ । ଗତବର୍ଷ ଗୁରୁଦିବସ ଦିନ ସ୍ୱର୍ଗତ ଦାସଙ୍କ ବାସଭବନରେ ତାଙ୍କର ଅନେକ ଛାତ୍ରଛାତ୍ରୀ ଗୁରୁପୂଜନ ଶେଷକରି ଯିବାପରେ ସେହିଦିନ ମଧ୍ୟରାତ୍ରିରେ ସେମାନଙ୍କ ପ୍ରିୟ ପ୍ରଧାନଶିକ୍ଷକଙ୍କ ହୃଦଘାତରେ ଦେହାନ୍ତ ଖବର ପାଇଥିଲେ ବୋଲି କୋହଭରା କଣ୍ଠରେ ସେମାନେ ପ୍ରକାଶ କରିଥିଲେ ।ଅତିଥି ଓ ବକ୍ତାଭାବେ ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ ଡ. କାଳିପଦ ପଣ୍ଡା, ଓକିଲ ସଂଘର ପୂର୍ବତନ ସଭାପତି ମନୋଜ ନାୟକ, ବରିଷ୍ଠ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ପରିଡ଼ା, ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାକ୍ତନ ଶିକ୍ଷକ ବରେନ୍ଦ୍ର କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଦେ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡ଼େଶ୍ୱର ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ରବୀନ୍ଦ୍ର ଜେନା, ‘ଅମ୍ଳାନ ପ୍ରତିଭା’ର ସଂପାଦକ ମଧୁସୂଦନ ସାହୁ, ଜଗବନ୍ଧୁ ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଉର୍ମିଳା ଆଚାର୍ଯ୍ୟ ଓ ପୁରାତନ ଛାତ୍ର ସଂସଦର ସଂପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଜଣେ ଆଦର୍ଶ ଶିକ୍ଷକ ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଯାତ୍ରାରେ କିପରି ମହତ ପ୍ରଭାବ ପକାଇଛନ୍ତି ତାହାର ଦୃଷ୍ଟାନ୍ତ ଉପସ୍ଥାପିତ କରି ସେମାନଙ୍କର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଅତିଥି ଓ ବକ୍ତାମାନେ ‘ଅମ୍ଳାନ ପ୍ରତିଭା’ ପୁସ୍ତିକାକୁ ଉନ୍ମୋଚନ କରିôତଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ ସହ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା ସଂଚାଳନ କରିଥିଲେ ପୂର୍ବତନ ଛାତ୍ର ତଥା ଆଇନଜୀବୀ ପର୍ଶୁରାମ ପ୍ରଧାନ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱର୍ଗତ ପ୍ରଧାନଶିକ୍ଷକଙ୍କ ପୁତ୍ର ରାଜକମଲ, ଝିଅ ବନଶ୍ରୀ, ମୌସୁମୀ ଓ ପରିବାର ସଦସ୍ୟ ସହାୟତା ପ୍ରଦାନ କରିଥିଲେ । ବ୍ୟାସକବିନଗର ବିକାଶ ପରିଷଦର ପୂର୍ବତନ ସଭାପତି ଅଖିଳ କୁମାର ଦାସ, ସମାଜସେବୀ ସରସ୍ୱତୀ ପଣ୍ଡା ଓ କନକ ପାଣିଗ୍ରାହୀ ପ୍ରମୁଖ ବହୁ ସ୍ଥାନୀୟ ଅଧିବାସୀ ସଭାରେ ଉପସ୍ଥିତ ଥିଲେ । ବୁଦ୍ଧଦେବ ପ୍ରଧାନ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ