ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ‘ପ୍ରେରଣା ଦିବସ’ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ମେଡିକାଲ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବର୍ଷଭଳି ଚଳିତବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ‘ପ୍ରେରଣା ଦିବସ’ ପାଳିତ ହୋଇଯାଇଛି । ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନ ସଭାଗୃହରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଫକୀରମୋହନ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଗତବର୍ଷଠାରୁ ଏହି ସ୍ମରଣୀୟ ଦିବସକୁ ପାଳନ କରାଯାଉଛି ।ବାଲେଶ୍ୱରରେ ଏକ ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ଗତ ୨୦୧୨ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ବିଧାନସଭା ସମ୍ମୁଖରେ ଗଣଧାରଣାରେ ଯୋଗ ଦେଇ ବସ୍‌ଯୋଗେ ବାଲେଶ୍ୱର ଫେରୁଥିବା ସଦସ୍ୟ ସଦସ୍ୟାମାନେ ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩୬ ଜଣ ଆଘାତପ୍ରାପ୍ତ ହୋଇଥିବାବେଳେ ପ୍ରାୟ ୧୫ଜଣ ଗୁରୁତର ହୋଇଥିଲେ । ଗୁରୁତରମାନେ ସୁସ୍ଥ ହେବାପାଇଁ କଟକ, ଭୁବନେଶ୍ୱର ଓ ରାଜ୍ୟ ବାହାରେ ବିଭିନ୍ନ ହସପିଟାଲରେ ଦୀର୍ଘଦିନ ଚିକିତ୍ସିତ ହୋଇଥିଲେ । ଏହି ଦୁର୍ଘଟଣା ସେମାନଙ୍କୁ ଓ କ୍ରିୟାନୁଷ୍ଠାନ କମିଟିର ଅନ୍ୟମାନଙ୍କୁ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଆନ୍ଦୋଳନକୁ ଅଧିକ ପ୍ରେରଣା ଦେଇଥିଲା ବୋଲି ପ୍ରେରଣା ଦିବସ ସଭାରେ ବହୁ ବରିଷ୍ଠ ସଦସ୍ୟ ପ୍ରକାଶ କରିଥିଲେ ।ଶାନ୍ତିକାନନସ୍ଥିତ ଫକୀରମୋହନଙ୍କ ପୂର୍ଣ୍ଣାୟବରେ ପୁଷ୍ପମାଲ୍ୟ ପ୍ରଦାନ ପରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ସଂପାଦକ ଦୀପକ ବୋଷ, ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଆନ୍ଦୋଳନ ଏକ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ । ଜିଲ୍ଲବାସୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଫଳରେ ଏହା ପ୍ରତିଷ୍ଠା ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଗତ ୨୦୧୨ ସେପ୍ଟେମ୍ବର ୫ ତାରିଖରେ ଦୁର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତିମାନେ ସେମାନଙ୍କର ଅଭିଜ୍ଞତାକୁ ଲିଖିତଭାବେ ଏକ ସଂକଳନରେ ପ୍ରକାଶ କଲେ ତାହା ଆଗାମୀ ପିଢ଼ିକୁ ଅଧିକ ପ୍ରେରଣା ଦେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସଭାରେ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, କାର୍ଯ୍ୟକାରୀ ସଭାପତି ଇଂ. ଡ. ହୃଷିକେଶ ସାହୁ, ପୂର୍ବତନ ସଭାପତି ପ୍ରଫେସର ଅନନ୍ତ ପ୍ରଧାନ, ଉପସଭାନେତ୍ରୀ ସରସ୍ୱତୀ ପଣ୍ଡା, ଜଳେଶ୍ୱର ଅଞ୍ଚଳ କମିଟିର ସଂଯୋଜକ ଦିଲ୍ଲୀପ ଗିରିଙ୍କ ସମେତ ନିରଞ୍ଜନ ରାଉତ, ରମେଶ ଚନ୍ଦ୍ର ଜେନା, କମଲ ଚକ୍ରବର୍ତ୍ତୀ, ମିନତୀ ପାତ୍ର, ଜଗତାନନ୍ଦ ବିଶ୍ୱାଳ, ପଦ୍ମଲୋଚନ ଦତ୍ତ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ମେଡିକାଲ୍ କଲେଜ ହସ୍‌ପିଟାଲରେ ଉତ୍ତମ ସ୍ୱାସ୍ଥ୍ୟସେବା, ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟ ପ୍ରଭୃତି ରୋଗ ଚିକିତ୍ସାର ବିଭାଗଗୁଡ଼ିକ ଖୋଲିବା, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ପ୍ରଭୃତି ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡା କୁରୁଡ଼ା ଶାଖା କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟତମ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ରେମୁଣା ବ୍ଲକ୍ କମିଟିର ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ଯୋଗେନ୍ଦ୍ର ମାହାନା ଓ କଲ୍ୟାଣୀ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ