ବସନ୍ତ ବାବୁ ୨୧ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ଉପମୁଖ୍ୟମନ୍ତ୍ରୀ, କର୍ମବୀର ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ୨୧ତମ ଶ୍ରାଦ୍ଧ ଦିବସ, ବସନ୍ତ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ଶନିବାର ପୂର୍ବାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ବସନ୍ତ ବାବୁ ଜଣେ କାମ କରିବାର ମଣିଷ ଥିଲେ । ନୂତନ ବିଡ଼ାନାସୀ କଟକ ଭଳି ଏକ ନୂତନ କଟକ ସହର ସୃଷ୍ଟି କରିବାରେ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କର ପ୍ରମୁଖ ଭୂମିକା ଥିଲା । ପ୍ରକୃତରେ କଟକବାସୀଙ୍କ ପାଇଁ ବସନ୍ତ ବାବୁ ଦ୍ୱିତୀୟ ବାଇମୁଣ୍ଡି ଥିଲେ ।ସ୍ମୃତି କମିଟିର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ଡାକ୍ତର ବିଭୂତି ଭୂଷଣ ଜେନା କହିଲେ ଯେ, ସ୍ୱର୍ଗତ ବିଶ୍ୱାଳଙ୍କ ମନ୍ତ୍ରୀତ୍ୱ ସମୟରେ ଗମନା ଗମନର ସୁବିଧା ଓ ନବୀବନ୍ଧ ସଂଯୋଗ କ୍ଷେତ୍ରରେ ତଥା ପୋଲ ନିର୍ମାଣରେ ଇତିହାସ ସୃଷ୍ଟି ହୋଇଥିଲା । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ କରିବାରେ ସେ ଜଣେ ଦକ୍ଷ ମଣିଷ ଥିଲେ ।ଏହି ଅବସରରେ ସ୍ୱର୍ଗତ ବିଶ୍ୱାଳ ଓ ସ୍ମୃତି କମିଟିର ପୂର୍ବତନ ସଭାପତି ହରିହର କରଣ ଓ ଗୁରୁପଦ ନନ୍ଦଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଜେଡ଼ି ନେତା ନାରାୟଣ ପ୍ରସାଦ ଜେନା ସ୍ୱାଗତ ଭାଷଣ ଓ କମିଟିର ଆବାହକ ସୁଜିତ ଘୋଷ ଦସ୍ତିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଠା ଜଳସେଚନ ନିଗମର ପୂର୍ବତନ ଅଧ୍ୟକ୍ଷ ରାଜନ ସାହୁ, ଗାଡ଼କଣ ଗାଁ ମୁରବୀ ରସାନନ୍ଦ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜନ୍ମେଞ୍ଜୟ ନାୟକ ଓ ନଳିନୀକାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ