ଆଜିଠୁ ବୁଲିଲା ସୁଭଦ୍ରା ରଥ ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା। ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି, ଯାହା ଦ୍ୱାରା ଅନେକ ଜାଗାରେ ଭିଡ ସହ ବିଶୃଙ୍ଖଳା ନଜିର ରହିଛି l ତେଣୁ ଶନିବାର ରାଜ୍ୟ ସରକାର ସାରା ଓଡ଼ିଶାରେ ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ସଚେତନତା ରଥ ବୁଲିବାର ବନ୍ଦୋବସ୍ତ କରିଛନ୍ତିl ପବିତ୍ର ଗଣେଷ ପୂଜା ଅବସରରେ ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟ ପରିସରରୁ ଏହି ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୧୧ଟି ଗାଡି ସୁଭଦ୍ରା ଯୋଜନା ସଂପର୍କରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବ। ହିତାଧିକାରୀ ଯେପରି ଭ୍ରମିତ ନହେବେ ସେଥିଲାଗି ଏହି ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ପଞ୍ଜିକରଣ ପାଇଁ କୌଣସି ନିଦ୍ଧିଷ୍ଟ ସମୟସୀମା ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ଏହା ଏକ ଐତିହାସିକ ଯୋଜନା।ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କରିବା ପାଇଁ ଏହି ଯୋଜନା କରିଛନ୍ତି ବିଜେପି ସରକାର। ଏହି ରଥ ଓଡିଶାର ୩୧୪ ଟି ବ୍ଲକରେ ବାହାରିଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଏବେ ସୁଭଦ୍ରା ଯୋଜନାରେ ସାଇଟ ସମସ୍ୟା ରହୁଛି ବୋଲି ଅଙ୍ଗନାବାଡିକର୍ମୀ ମାନେ ମନ୍ତ୍ରୀଙ୍କୁ କହିଥିଲେ। ଏହି ସମସ୍ୟାର ସମଧାନ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉପସ୍ଥିତ ଅଙ୍ଗନାବାଡିକର୍ମୀଙ୍କୁ ମଧ୍ୟ ଏହି ଯୋଜନା ସଂପର୍କରେ ବୁଝାଇଥିଲେ। ଏହି ରଥ ଆସନ୍ତା ୧୬ ତାରିଖ ପ୍ରଯ୍ୟନ୍ତ ଗାଁ ଗାଁ ବୁଲି ସଚେତନତା କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ସିଡିପିଓ ପ୍ରଣମିତା ପଣ୍ଡା, ଓଡିଶା ଜୀବିକା ମିଶନ ର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ଅଙ୍ଗନାବଡିକର୍ମୀ, ମିଶନଶକ୍ତି ର ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ