ବାଲେଶ୍ୱର ଜିଲ୍ଲାରେ ଗଡିଲା ସୁଭଦ୍ରା ରଥ

ବାଲେଶ୍ୱର, (ସରୋଜ ପଣ୍ଡା):ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡା ଏବଂ ଯୁବସେବା ବିଭାଗ, ଓଡିଶା ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ସୁଭଦ୍ରା ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ ସହ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୦ ହଜାର ଲେଖାଏ କରି ଏକ କୋଟି ମହିଳାଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ମହିଳା ମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟରତ ଏହି ଯୋଜନାକୁ ବ୍ୟାପକ କରିବା ନିମନ୍ତେ ସେ ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୁରଜ ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଥିଲେ ।ଉକ୍ତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ବାଲେଶ୍ୱର (ସଦର) ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ ମହିଳାଙ୍କ ଆର୍ଥିକ ଉତ୍ଥାନ ନିମନ୍ତେ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ ଓ ମାନନୀୟା ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ ମଧ୍ୟ ଅନୁରୂପ ବାର୍ତ୍ତା ସହ ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ରୋଜଗାରକ୍ଷମ କରି ଆତ୍ମ ନିର୍ଭର କରିବ ବୋଲି କହିଥିଲେ।ସଭା ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ନାରାୟଣ ହେମ୍ବ୍ରମ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଡେପୁଟି କଲେକ୍ଟର ଶ୍ରୀ ପୁରୁଷୋତ୍ତମ ମିଶ୍ର ଓ ଡିପିସି ମମତା ଶ୍ରୀ ବାମଦେବ ପାଣିଗ୍ରାହୀ ସମସ୍ତ ସହଯୋଗ କରିଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ମଞ୍ଚ ପରିଚାଳନା କରିଥିଲେ I ଏଠାରେ ସୂଚନା ଥାଉ କି, ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୨ ଟି ବ୍ଲକ ଓ ୫ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ୬ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ, ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ