ପରିଣତ ବୟସରେ ପରିବେଶ ଚିନ୍ତା

ହାଟଡିହି, (ବିକାଶ ବିଶ୍ୱାଳ):ଏବେ ସମଗ୍ର ବିଶ୍ଵ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ପରିବେଶ ଅସନ୍ତୁଳନ ପାଇଁ ଭୟଙ୍କର ଭାବେ ତାପମାତ୍ରା ବୃଦ୍ଧି ପାଉଛି । ଏଥିରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ହିଁ ଏକ ମାତ୍ର ବିକଳ୍ପ । ଯାହାକୁ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲାର ବୃଦ୍ଧ ଦମ୍ପତ୍ତି । ନିଜର ଭତ୍ତା ଟଙ୍କାରେ ଗଛ ଲଗାଇବା ଠାରୁ ଆରମ୍ଭ କରି ବଡ ହେବାଯାଏ ସମସ୍ତ ଯତ୍ନ ନେଉଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ଶାଳକଣିଆ ଗାଁ । ଗାଁର ଦମ୍ପତ୍ତି ଗୋବିନ୍ଦ ଚନ୍ଦ୍ର ପୃଷ୍ଟି ଓ ଶକୁନ୍ତଳା ପୃଷ୍ଟି । ଗୋବିନ୍ଦ ଙ୍କୁ ୭୪ ବର୍ଷ ହୋଇଥିବା ବେଳେ ଶକୁନ୍ତଳା ଙ୍କୁ ୭୦। ପରିଣତ ବୟସରେ ଦମ୍ପତ୍ତିଙ୍କର ଗଛ ଲଗାଇବା ନିଶା ବଢିଯାଇଛି । ପ୍ରତିଦିନ ସକାଳୁ କୋଡ଼ି କୋଦାଳ ସହ, ଚାରା ଗଛ ଧରି ଘରୁ ବାହାରି ପଡ଼ନ୍ତି । ରାସ୍ତା କଡ଼ରେ ନିଜେ ଲଗାଇଥିବା ଗଛର ଯତ୍ନ ନେବା ସହ ଖାଲିଥିବା ସ୍ଥାନ ମାନଙ୍କରେ ନୁଆ ନୁଆ ଗଛ ଲଗାଇଥାନ୍ତି । ତାଙ୍କର ଏପରି ଆଗ୍ରହ ଦେଖି ଏଥିରେ ଗାଁ ପିଲା ମାନେ ମଧ୍ୟ ସହଯୋଗର ହାତ ବଢାଉଛନ୍ତି । ଗୋବିନ୍ଦଙ୍କ ବୟସ ବଢ଼ିବା ସହିତ ବଢ଼ି ଚାଲିଛି ବୃକ୍ଷରୋପଣ ଆଗ୍ରହ । ସାଙ୍ଗରେ ସ୍ତ୍ରୀ ଶକୁନ୍ତଳା ପୃଷ୍ଟି ଓ ପରିବାର ଲୋକେ ମଧ୍ୟ ବଢାଇଛନ୍ତି ସହାୟତାର ହାତ । ପୂର୍ବରୁ ଚାଷ କରି ଘର ଚଳାଉଥିବା ଗୋବିନ୍ଦ, ବୟସ ବଢ଼ିବା ପରେ ଚାଷ କାମ କରି ପାରୁ ନ ଥିବା ବେଳେ, ବୃକ୍ଷରୋପଣ ସବୁଠାରୁ ମହତ କାର୍ଯ୍ୟ ବୋଲି ଚିନ୍ତାକରି ପ୍ରଥମେ କିଛି କିଛି ଗଛ ଲଗାଇଥିଲେ। ଗଛ ଗୁଡିକ ବଢିବା ପରେ ତାଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି ହୋଇଥଲା। ପରେ ନିଜ ଗାଁ ସହିତ ପଡୋଶୀ ଗାଁର ପୋଖରୀ ଆଡି, କେନାଲ କଡ ଓ ସରକାରୀ ଜମି ଗୁଡିକରେ ବୃକ୍ଷ ରୋପଣ କରିଚାଲିଲେ। ପ୍ରତିବର୍ଷ ଶ୍ରାବଣ ମାସରେ ୧୫୦ରୁ ୨୦୦ରୁ ଉର୍ଦ୍ଧ୍ବ ଗଛ ଲଗାଇ ତାକୁ ଘେରାଉ କରି ତାର ଯତ୍ନ ନେଲେ। ଏପରିକି ଖରା ଦିନରେ ପାଣି ଭାର ଧରି ଗୋଟେ କିଲୋମିଟର ଦୂରରେ ଥିବା ଗଛରେ ପାଣି ଢାଳି ତାର ସୁରକ୍ଷା କଲେ। ନିଜ ଭତ୍ତା ଟଙ୍କାରେ ତାର ଜାଲି, ବାଉଁଶ କିଣି ବାଡ ଘେରାଉ କରି ସେଗୁଡିକୁ ଛେଳି ଗୋରୁଙ୍କ ଠାରୁ ସୁରକ୍ଷିତ ରଖିଲେ। ଏବେ ଯେଉଁ ଆଡେ ଚାହିଁବ ତାଙ୍କ ଦ୍ଵାରା ଲାଗିଥିବା ଗଛ ଗୁଡିକ ହସି ଉଠି ଧରଣୀ ରାଣୀର ଶୋଭା ବର୍ଦ୍ଧନ କରୁଛି। ସେ ବିଭିନ୍ନ ସ୍ଥାନରେ ଆମ୍ବ, ପଣସ , ପିଜୁଳି, କମଳା, ଲେମ୍ବୁ ,ଓଉ, ଜାମୁ କୋଳି, କାଜୁ ବାଦାମ ଭଳି ୧ ହଜାରୁ ଉର୍ଧ୍ବ ଫଳନ୍ତି ଗଛ ଲଗାଇଛନ୍ତି । ତାଙ୍କ ଉଦ୍ୟମକୁ ସଫଳ କରିବାକୁ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରୁଛନ୍ତି। ଯାହାକୁ ଭୂୟସୀ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ଏଥିପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ