ଭାରତରୁ ୧୦,୦୦୦ ନିର୍ମାଣ ଶ୍ରମିକ, ୫୦୦୦ କେୟାରଗିଭର ଲୋଡ଼ିଲା ଇସ୍ରାଏଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭିତିଭୂମି ଓ ନିର୍ମାଣ କ୍ଷେତ୍ରରେ ରହିଥିବା ଦକ୍ଷତା ଅଭାବକୁ ଦୂର କରିବା ଲାଗି ଭାରତଠାରୁ ୧୦,୦୦୦ ନିର୍ମାଣ ଶ୍ରମିକ ଓ ୫୦୦୦ କେୟାରଗିଭର (ଯତ୍ନ ପ୍ରଦାନକାରୀ) ଲୋଡ଼ିଛି ଇସ୍ରାଏଲ । ଚଳିତ ବର୍ଷ କିଛି ଦିନ ପୂର୍ବରୁ ମଧ୍ୟ ଇସ୍ରାଏଳ ସମାନ ପ୍ରକର ଅନୁରୋଧ କରିଥିଲା । ଦି ପପୁଲେସନ, ଇମିଗ୍ରେସନ ଆଣ୍ଡ ବର୍ଡର ଅଥରିଟି (ପିଆଇବିଏ) ଚାରିଟି ସ୍ୱତନ୍ତ୍ର ନିଯୁକ୍ତି ଭୂମିକା ଲାଗି ଅନୁରୋଧ କରିଛି । ସେଗୁଡ଼ିକ ହେଉଛି ଫ୍ରେମୱର୍କ, ଆଇରନ ବେଣ୍ଡିଂ, ପ୍ଲାଷ୍ଟରିଂ ଓ ସେରାମିକ ଟାଇଲିଂ । ପ୍ରାର୍ଥୀମାନଙ୍କୁ ଚୟନ କରିବା ଲାଗି ଆସନ୍ତା ସପ୍ତାହରେ ପିଆଇବିଏର ଅନୁଶୀଳନକାରୀମାନଙ୍କ ଏକ ଟିମ ଭାରତ ଆସିବା ସହ ପ୍ରାର୍ଥୀମାନେ ନିର୍ଧାରିତ ଯୋଗ୍ୟତା ଓ ଦକ୍ଷତା ମାନଦଣ୍ଡର ପରୀକ୍ଷା କରିବେ । ନିର୍ମାଣ ଶ୍ରମିକମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ ।ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ଇସ୍ରାଏଲକୁ ୫୦୦୦ କେୟାରଗିଭର ଦରକାର । ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଅତିକମରେ ଦଶମ ଶ୍ରେଣୀ ପାଠପଢ଼ା ଶେଷ କରିଥିବା ଓ ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ଅନୁଷ୍ଠାନଠାରୁ ସାର୍ଟିଫିକେଟ ହାସଲ କରି ଅତିକମରେ ୯୯୦ ଘଂଟାର ନିଯୁକ୍ତି ଭିତିକ ତାଲିମ ନେଇଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ।ଇସ୍ରାଏଲରେ ନିର୍ମାଣ ଶ୍ରମିକ ହେବା ଲାଗି ପ୍ରଥମ ପର୍ଯ୍ୟାୟ ନିଯୁକ୍ତିରେ ୧୬୮୩୨ ଜଣ ଦକ୍ଷତା ପରୀକ୍ଷା ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୦୩୪୯ ଜଣଙ୍କୁ ଚୟନ କରାଯାଇଛି । ଯେଉଁମାନଙ୍କୁ ଚୟନ କରାଯାଇଛି ସେମାନେ ମାସିକ ୧.୯୨ ଲକ୍ଷ ଟଙ୍କା ଦରମା ସହ ମେଡିକାଲ ବୀମା, ଖାଦ୍ୟ ଓ ରହଣୀ ସୁବିଧା ପାଇବେ । ଏହି ପ୍ରାର୍ଥୀମାନଙ୍କୁ ୧୬,୫୧୫ ଟଙ୍କାର ମାସିକ ବୋନସ ମଧ୍ୟ ପ୍ରଦାନ କରାଯିବ ।୨୦୨୩ ନଭେମ୍ବରରେ ଉଭୟ ଦେଶର ସରକାରଙ୍କ ମଧ୍ୟର ଚୁକ୍ତି ସ୍ୱାକ୍ଷର ହେବା ପରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ଲାଗି ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସମସ୍ତ ଜିଲ୍ଲା ପରିଦର୍ଶନ କରୁଛି । ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ଉତରପ୍ରଦେଶ, ହରିୟାଣା ଓ ତେଲେଙ୍ଗାନାରେ କରାଯାଇଥିଲା ।୨୦୨୩ ମେ’ରେ ଭାରତୀୟଙ୍କୁ ନିଯୁକ୍ତି ଲାଗି ଏକ ସାମୟିକ ଫ୍ରେମୱର୍କ ଚୁକ୍ତିରେ ଭାରତ ଓ ଇସ୍ରାଏଲ ସ୍ୱାକ୍ଷର କରିଥିଲେ । ସରକାରରୁ ସରକାର (ଜି୨ଜି) ମାଧ୍ୟମରେ ନିଯୁକ୍ତି ପାଇଁ ଯାଉଥିବା ସମସ୍ତ ପ୍ରାର୍ଥୀଙ୍କୁ ପ୍ରାକ-ପ୍ରସ୍ଥାନ ଓରିଂଏଟେଂସନ ତାଲିମ ନେବାକୁ ପଡ଼ିବ । ଇସ୍ରାଏଲ ସଂସ୍କୃତି ଓ ସେଠାକାର ପରିବେଶ ସହ ସେମାନଙ୍କୁ ପରିଚିତ କରାଯିବ ।ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା ଲାଗି ସରକାରଙ୍କ ରହିଥିବା ଲକ୍ଷ୍ୟ ସହ ଏହା ସମନ୍ୱିତ ରହିଛି । ଏନଏସଡିସି ପ୍ରତିଭାବାନ ଓ ଦକ୍ଷ ପ୍ରାର୍ଥୀଙ୍କୁ ଯୋଗାଡ଼ କରି ସେମାନଙ୍କୁ ବିଭିନ୍ନ ତାଲିମ ପ୍ରତିଷ୍ଠାନ ଜରିଆରେ ଆବଶ୍ୟକ ତାଲିମ ପ୍ରଦାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ