ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ପରୀକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ତା ୧୩ ତାରିଖ ଶୁକ୍ରବାର ଦିନ ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷାର ସୂଚାରୁ ପରିଚାଳନା ଦିଗରେ ଜିଲ୍ଲା ପ୍ରଶାସନର ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି I ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି Iପ୍ରାପ୍ତ ସୂଚନା ଅନୁଯାୟୀ ଜୟଦେବକସବା ପାହି ଓ ସାହାଜାନଗର ପାହି (୧୦୯୩), ଭୀମପୁର ପାହି ଓ ତୁଣ୍ଡରା ପାହି (୮୯୫) ଓ ଖଡୁପାହି ଓ କୁସୁମୁଳୀ (୧୧୧୨) ଅଞ୍ଚଳର ମୋଟ ୩୧୦୦ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଅଛି I ଜୟଦେବକସବା ପାହି ଓ ସାହାଜାନନଗର ପାହି ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ନିର୍ମାଣ କରାଯାଇଛି I ଖଡୁପାହି ଓ ତୁଣ୍ଡରା ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି I କୁସୁମୁଳୀ ଓ ଭୀମପୁର ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି Iଏହି ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସହଜତା ପାଇଁ ୧୦୦ ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି I ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ୧୫ ଗୋଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି Iଉକ୍ତ ଅଞ୍ଚଳଗୁଡିକରେ ଆଜି ଡ଼ାକବାଜି ଯନ୍ତ୍ରଦ୍ୱାରା ଜନସାଧାରଣଙ୍କୁ ଆସନ୍ତା କାଲି ସକାଳ ଘ. ୫ ଠାରୁ ସ୍ଥାନାନ୍ତର ଓ କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଛି I ଏହି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ନିମନ୍ତେ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଆଇଟିଆର ପକ୍ଷରୁ ପ୍ରଦାନ କରାଯିବ I ଯୋଗ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ଟଙ୍କା ସେହିଦିନ ପୂର୍ବାହ୍ନ ଘ. ୧୧ ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ I ଉକ୍ତ କାର୍ଯକ୍ରମରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ