ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ଆସନ୍ତା ୨୩ରେ ଦେଶବ୍ୟାପୀ କଳାଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରସରକାର ଗତ ୨୦୨୦ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ ସଂସଦରେ ଶ୍ରମ ଆଇନଗୁଡ଼ିକୁ ସଂଶୋଧନ କରି ଚାରୋଟି କୋର୍ଡ଼ରେ ପରିଣତ କରିଛନ୍ତି । ଏହି ସଂଶୋଧନ ଫଳରେ ଶ୍ରମିକ ଶ୍ରେଣୀ ଦୀର୍ଘବର୍ଷ ସଂଗ୍ରାମ କରି ପରାଧିନ ଭାରତ ଓ ସ୍ୱାଧୀନ ଭାରତରେ ଶ୍ରମିକମାନଙ୍କ ସପକ୍ଷରେ ହାସଲ କରିଥିବା ଶ୍ରମ ଆଇନଗୁଡ଼ିକ ଏକ ପ୍ରକାର ଅଚଳ ହୋଇଯାଇଛି । ଏହା ବିରୁଦ୍ଧରେ ବିଭିନ୍ନ ସମୟରେ ଶ୍ରମଜୀବୀମାନେ ଏହି ସଂଶୋଧନ ପ୍ରତ୍ୟାହାର କରିବାକୁ ଦାବି କରିଆସୁଛନ୍ତି ।ଆସନ୍ତା ୨୩ ତାରିଖ, ସୋମବାର ଦିନ ସମଗ୍ର ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ମାନେ ‘କଳା ଦିବସ’ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ବାଲେଶ୍ୱରରେ ଏହି ଆହ୍ୱାନକୁ ସଫଳ କରିବାପାଇଁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ମାନଙ୍କର ଏକ ମିଳିତ ବୈଠକ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇ ଆସନ୍ତା ୨୩ ତାରିଖ ସୋମବାର ଦିନ ୧୦ଟାରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଟିୟୁଏସିସିର ସଂପାଦକ ତଥା ବୈଠକର ଆବାହକ ଗୌରାଙ୍ଗ ପାଣିଗ୍ରାହୀ ମାଲିକ ତଥା କର୍ପୋରେଟ୍ ହାଉସ୍ମାନଙ୍କ ସପକ୍ଷରେ ସଂଶୋଧିତ ଶ୍ରମ ଆଇନଗୁଡ଼ିକର ତର୍ଜମା କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରା ଓ ବିକ୍ଷୋଭରେ ସମସ୍ତ ବର୍ଗର ମେହନତି ଜନସାଧାରଣ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ବିଶିଷ୍ଟ ବାମପନ୍ଥୀନେତା, ପୂର୍ବତନ ସାଂସଦ ତଥା ସିପିଆଇ (ଏମ୍)ର ଜାତୀୟ ସାଧାରଣ ସଂପାଦକ ସାଥୀ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ବୈଠକରେ ଗଭୀର ଶୋକ ପ୍ରକାଶ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୁରେଶ ଚନ୍ଦ୍ର ବେହେରା, ନିରାକାର ପାଣ୍ଡବ, ପୀତାମ୍ବର ମାଝି, ରାଜକିଶୋର ଲେଙ୍କା, ଶାନ୍ତନୁ ଦାସ, ଶ୍ୟମାସୁନ୍ଦର ଜେନା, ଜଗଦୀଶ ବାରିକ, ହରେକୃଷ୍ଣ ଚାନ୍ଦ, ବନ୍ଦନା ବିଶ୍ୱାସ, ସର୍ବେଶ୍ୱର ମିଶ୍ର, ଜତିନ୍ ପାତ୍ର, ଭରତ ଚନ୍ଦ୍ର ସେଠୀ, ଶିବନାରାୟଣ ଗିରି ଓ ରାଜୀବ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।