କେନ୍ଦ୍ରାପଡା ବିଡିଓଙ୍କ ଅନଭିଜ୍ଞ ନିର୍ଦ୍ଦେଶନାମା ପାଇଁ ମିଶନ ଶକ୍ତି ମହିଳା ଶୋଷଣର ଶିକାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ମିଶନଶକ୍ତି ମହାସଙ୍ଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ରାପଡା ବିଡିଓ ସେମାନଙ୍କ ବ୍ୟାଙ୍କ ଜମାବହିକୁ ଅଚଳ କରିଦେଇଥିବାରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଗତ୨୦୨୩ମସିହା ମାର୍ଚ୍ଚ ମାସରେ ଗୋଷ୍ଠୀ ସହାୟିକା(ସି.ଆର.ପି.) ଚୟନ ପାଇଁ କେନ୍ଦ୍ରାପଡା ବ୍ଲକ ମିଶନ ଶକ୍ତି ମହାସଂଘ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ଅନୁଯାୟୀ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ମହିଳା ମହାସଂଘରେ ଖାଲି ପଡିଥିବା ଗୋଷ୍ଠୀ ସହାୟିକା ପଦବୀ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି କ୍ରମରେ ଗାଙ୍ଗପଡା, ଜମଧର ଓ ଭାଗବତପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କିନ୍ତୁ ଏହିସବୁ ପଞ୍ଚାୟତର ଗୋଟିଏ ଗୋଟିଏ ଆଞ୍ଚଳିକ ମଞ୍ଚରେ ବ୍ଲକ ମହାସଙ୍ଘ, ଗ୍ରାମ ପଞ୍ଚାୟତ ମହିଳା ମହାସଙ୍ଘ ଓ ଆଞ୍ଚଳିକ ମଞ୍ଚର ଚୟନ କମିଟି ସଦସ୍ୟମାନଙ୍କ ଭିତରେ କୌଣସି କାରଣକୁ ନେଇ ସେହି ସବୁ ମଞ୍ଚରେ ଗୋଷ୍ଠୀ ସହାୟିକା ନିଯୁକ୍ତି ଦିଆଯାଇ ପାରିନଥିଲା । ଦୀର୍ଘଦିନ ପରେ ହଠାତ୍ କେନ୍ଦ୍ରାପଡା ବିଡିଓଙ୍କ କାର୍ଯ୍ୟାଳୟର ଆଦେଶ ପତ୍ର ସଂଖ୍ୟା-୩୪୯ ତା.୫/୮/୨୦୨୪ରିଖ ଦ୍ୱାରା ଜମଧର ଓ ଗାଙ୍ଗପଡା ପଞ୍ଚାୟତ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଜଣାଇ ଦିଆଯାଇଥିଲା ଯେ ଗାଙ୍ଗପଡା ପଞ୍ଚାୟତ ମିଶନ ଶକ୍ତି ମହାସଂଘର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଗୋଗୁଆ ଶାଖା ଓ ଜମଧର ପଞ୍ଚାୟତ ମିଶନ ଶକ୍ତି ମହିଳା ମହାସଂଘର ଆଇଡିବିଆଇ ବାଲିଆ ଶାଖାରେ ଥିବା ବ୍ୟାଙ୍କ ଜମାବହିକୁ ଅଚଳ କରି ଦିଆଗଲା ବୋଲି । ଗାଙ୍ଗପଡା ମିଶନ ଶକ୍ତି ମହାସଂଘର ସିଆଇଏଫ୍ ଋଣ ନେଇଥିବା ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ଯେତେବେଳେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଗୋଗୁଆ ଶାଖାରେ ସେମାନଙ୍କ ଋଣ କିସ୍ତି ବାବଦରେ ଅର୍ଥ ପୈଠ କରିବାକୁ ଯାଆନ୍ତି ବ୍ୟାଙ୍କ ଶାଖା ପରିଚାଳକ ସେମାନଙ୍କଠାରୁ ଋଣକିସ୍ତି ଅର୍ଥ ନରଖି ଗୋଷ୍ଠୀ ସଭ୍ୟାମାନଙ୍କୁ ଫେରାଇ ଦେଇଥିଲେ । ଫଳରେ ଗୋଷ୍ଠୀ ଋଣ ଅର୍ଥ ଫେରସ୍ତରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି । ଗୋଷ୍ଠୀର ସଭ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ସବିଶେଷ ତଥ୍ୟ ଅବଗତ କରାଇବା ସହ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମହାସଂଘର ଅର୍ଥ ଦେଣନେଣକୁ ବନ୍ଦ କରିଦେବା ସରକାରୀ ନିୟମ ବିରୁଦ୍ଧ ଅଟେ । କାହିିଁକି ନା ଋଣ ଫେରସ୍ତ ନକଲେ ଗୋଷ୍ଠୀକୁ ଭବିଷ୍ୟତରେ ସୁଧ ଉପରେ ଚକ୍ରବର୍ତ୍ତୀ ସୁଧ ଦେବାକୁ ପଡିପାରେ ତାକୁ ଭରଣା କିଏ କରିବ । ଭବିଷ୍ୟତରେ ଆର୍ôଥକ ବିଶୃଙ୍ଖଳା ସୃଷ୍ଟି ହେବାର ବହୁ ସମ୍ଭାବନା ରହିଛି । ପଞ୍ଚାୟତ ମିଶନ ଶକ୍ତି ମହାସଂଘ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସଞ୍ଚୟ ଜମାବହିକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେବା କେତେଦୂର ଯୁକ୍ତି ସଂଗତ ଓ ନିୟମ ପରିପନ୍ଥି । ପୁନଶ୍ଚ ଦୁଇଗୋଟି ମହାସଂଘର ସଞ୍ଚୟ ଜମାବହି ବନ୍ଦ କରି ଭାଗବତପୁର ପଞ୍ଚାୟତ ମିଶନ ଶକ୍ତି ମହାସଂଘର ସଞ୍ଚୟ ଜମାବହି ବନ୍ଦ ନକରିବା ପଛରେ କି ପ୍ରକାର କାରଣ ଥାଇପାରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ମହିଳାମାନଙ୍କର ଏହି ସମସ୍ୟାର ସମାଧାନ ନହେଲେ ଭବିଷ୍ୟତରେ ଏକ ବୃହତ୍ ଆନ୍ଦୋଳନ ଯେ ମୁଣ୍ଡ ନ ଟେକିବ ତାହା କହି ହେବନାହିଁ । ଗାଙ୍ଗପଡା ମିଶନ ଶକ୍ତି ପଞ୍ଚାୟତ ମହାସଂଘ ପକ୍ଷରୁ ସଭାନେତ୍ରୀ ପବିତ୍ର ଦାସ, ସମ୍ପାଦିକା ସଂଘମିତ୍ରା ଦାସ, ରଶ୍ମିତା ଭୂୟାଁ, ଗୀତାଞ୍ଜଳି ଦାଶ, ନିର୍ମଳା ସାହୁ, ସରସ୍ୱତୀ ମହାନ୍ତି, ଭାଗ୍ୟବତୀ ନାୟକ ପ୍ରମୁଖ ସଦସ୍ୟାମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ