ଦେବୀଙ୍କ ଆଗମନକୁ ସ୍ୱାଗତ କରୁଛି କାଶତଣ୍ଡୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ପାର୍ବଣଋତୁ ଆରମ୍ଭ ହୋଇଯାଇଛି । ଆଉ ମାତ୍ର ୨୭ ଦିନ ପରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ପାଳନ କରାଯିବ । ଏ ନେଇ ଚଳଚଞ୍ଚଳ ରହିଛି ସହର । ଖାଲି ସହର କାହିଁକି ମା’ଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ । ପ୍ରକୃତି ମଧ୍ୟ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଦୀପଠା, ବିଲବାଡି, ପଡିଆ ତଥା ରାସ୍ତାକଡରେ ଗୋଛା ଗୋଛା ଧବଳ ମୁଖୀ କାଶତଣ୍ଡୀ ପବନରେ ଲହରା ଭାଙ୍ଗୁଛି । ଖରା, ଝାଞ୍ଜି ଓ ପ୍ରବଳ ବର୍ଷାର ଅବସାନ ପରେ ଏବେ ଶୀତକାଣ୍ଡୀ ହସି ଉଠିଛି । ତାର ଏହି ସ୍ମିତହାସ୍ୟ ଜନମନରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା ସହ ନୂତନ ବିଶ୍ୱାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି ସୁକ୍ଷ୍ମକେଶୀ କାଶତଣ୍ଡୀ ପୃଥିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ମା’ଙ୍କ ଆଗମନ ବେଳେ ସ୍ୱାଗତ କରିବାକୁ ଧରାପୃଷ୍ଠରେ ନିଜକୁ ଧଳା ଚଦରରେ ସଜେଇ ଦେଇଛି । ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ୱ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ୱଚ୍ଛତାର ବାର୍ତ୍ତା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯତ୍ନ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅନିର୍ବଚନୀୟ ଆନନ୍ଦ ଓ ସୁକ୍ଷ୍ମ ସ୍ୱର୍ଶ ମାନବ ସମାଜକୁ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ଲାଗିଛି । ଜଞ୍ଜାଳମୟ ଜୀବନକୁ ଉପଭୋଗ କରିବା ସହ ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି । ମଣିଷ ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ , ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ । ଏହି ଦୃଢ ପ୍ରତିଶୃତିର ଇସ୍ତାହାର ନେଇ କାଶତଣ୍ଡୀ ପଦାର୍ପଣ କରିଛି । ସିଂହବାହିନୀ ମା’ ଦୁର୍ଗା ବିଜୟ ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ । ଏହି ଆନନ୍ଦପ୍ରଦ ଶୁଭ ମୁହୁର୍ତ୍ତରେ ଅପେକ୍ଷାରେ ଜନସମାଜ ରହିଛି । ଯେଉଁ ଆଡେ ଦେଖିଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶତଣ୍ଡୀର ଶୁଭ୍ର, ସ୍ବଚ୍ଛ ରୂପ ଏକ ଉତ୍ସବମୟ ପରିବେଶ ସୃଷ୍ଟି କରୁଛି । ଏହା ହିଁ ହାସ୍ୟମୟୀ ଲାସ୍ୟମୟୀ ପ୍ରକୃତିର ଜନସମାଜର ଅବଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ