ଗୁରାଣ୍ଡି ଥାନା ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ ବଢ଼ିଚାଲିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ କିଛି ଦିନ ହେଲା ଲୁଟେରାଙ୍କ ଆତଙ୍କରାଜ ବଢ଼ିଚାଲିଛି. ଏପରିକି ଲୁଟେରାମାନେ ଅବାଧରେ ବିଭିନ୍ନ ଗ୍ରାମରେ ପ୍ରବେଶ କରି ଲୁଟ ତରାଜ କରି ଫେରାର ହୋଇଯାଉଛନ୍ତି. ଗତ ଅଗଷ୍ଟମାସରେ ତିନି ଗୋଟି ଲୁଟ ଘଟଣାରେ ସମ୍ପୂକ୍ତ ଲୁଟେରାଙ୍କୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗିରଫ କରିପାରିନ ଥିବାବେଳେ ପୁଣି ଗତ ୧୫ ତାରିଖ ଭୋର ସକାଳ ଓ ମାଧହ୍ନ ସମୟରେ ୨ ଟି ଲୁଟ ଘଟଣା ଅଞ୍ଚଳବାସୀଙ୍କୁ ବେଶ ଆତଙ୍କିତ କରିଛି. ରବିବାର ଭୋର ସକାଳ ସମୟରେ ଏହି ଥାନା ଅନ୍ତର୍ଗତ ଗଜପତିନଗର ଗ୍ରାମର ଜି. ସଞ୍ଜୀବ ନାମକ ଜଣେ ବ୍ୟକ୍ତି ଗାଇ ବିକ୍ରି କରି ୨୫ ହଜାର ଟଙ୍କା ଧରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚାପରା ଗ୍ରାମ ଦେଇ ନିଜ ଗ୍ରାମ ଅଭିମୁଖେ ଆସୁଥିଲେ । ହେଲେ ଗଜପତିନଗର ଗ୍ରାମ ଆଉ କିଛି ଅଳ୍ପ ଦୂରରେ ରହିଥିବା ବେଳେ ସେଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ଦୁର୍ବୃତ୍ତ ଜଣକ ସଞ୍ଜିବଙ୍କ ମୁଣ୍ଡରେ ଏକ ପାଇପ ଯୋଗେ ଆଘାତ କରିଥିଲେ । ଗୁରୁତର ଆହତ ହୋଇ ସଞ୍ଜୀବ ତଳେ ପଡିଯିବା ପରେ ଦୁର୍ବୃତ୍ତ ଜଣକ ସଞ୍ଜୀବଙ୍କ ସମସ୍ତ ଟଙ୍କା ଧରି ଏକ ସ୍କୁଟି ଯୋଗେ ଘଟଣାସ୍ଥଳରୁ ଗଜପତିନଗର ଗ୍ରାମ ଅଭିମୁଖେ ପଳାୟନ କରିଥିଲେ । ଇତି ମଧ୍ୟରେ ଗୁରୁତର ସଞ୍ଜୀବ କୌଣସି ମତେ ଗ୍ରାମବାସୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରିଦେଇଥିଲେ । ଗ୍ରାମବାସୀ ଓ ତାଙ୍କ ପରିବାର ଲୋକେ ଦୁର୍ବୃତ୍ତଙ୍କୁ ଧରିବାପାଇଁ ଅପେକ୍ଷା କରିଥିଲେ । ହେଲେ ଦୁର୍ବୃତ୍ତ ସ୍କୁଟି ଗାଡିରେ ଦୃତଗତିରେ ପଳାନ କରିବା ସମୟରେ ଗ୍ରାମର ଏକ ନଳକୂପ ସହ ଧକ୍କାଖାଇ ପଡିଯାଇଥିଲେ । ଏହାପରେ ସେ ସେହି ସ୍ଥାନରେ ସ୍କୁଟି ଗାଡ଼ିଟିକୁ ଛାଡିଦେଇ ବିଲମାଳ ଅଞ୍ଚଳଦେଇ ଅନ୍ଧାରରେ ପଳାୟନ କରିବାକୁ ସକ୍ଷମ ହୋଇଥିଲେ । ଖବରପାଇ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ଦୁର୍ବୃତ୍ତର ସ୍କୁଟିକୁ ଜବତ କରି ଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରଖିଛନ୍ତି. ସେହିପରି ରବିବାର ମଧ୍ୟାହ୍ନ ସାଢେ ଗୋଟାଏ ସମୟରେ ସାତମାଇଲ ଗ୍ରାମର ଲକ୍ଷ୍ମୀ ସାହୁକାର (୫୮) ଜଣେ ମହିଳା ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ସାହୁକାରଙ୍କ ସହ ମୋଟରସାଇକେଲ ଯୋଗେ ପାରଳାଖେମୁଣ୍ଡି ସହରର ଏକ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରିବାପାଇଁ ଯାଇ ଫେରୁଥିବା ସମୟରେ ନିଜ ଗ୍ରାମରୁ ପ୍ରାୟ ୨୦୦ମିଟର ଦୂରରେ ଦୁର୍ବୃତ୍ତମାନେ ତାଙ୍କ ସୁନା ହାର ତଥା ଅଳଙ୍କାରକୁ ଗାଡି ଚାଲୁଥିବା ଅବସ୍ଥା ଝାମ୍ପିନେଇ ଦ୍ରୁତଗତିରେ ଉପଲଡା ଗ୍ରାମ ଅଭିମୁଖେ ପଳାୟନ କରିଥିଲେ । ଲୁଟ ହୋଇଥିବା ସୁନା ଅଳଙ୍କାର ୩ ତୋଳା ହୋଇଥିବାର ଜଣାପଡିଛି । ଏନେଇ କୃଷ୍ଣଚନ୍ଦ୍ର ସାହୁକାର ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ସହ ଲୁଟେରାମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ରହିଥିବାର ପ୍ରକାଶ କରିଛନ୍ତି । ଉଭୟ ଘଟଣାକୁ ନେଇ ଗୁରାଣ୍ଡି ଥାନା ପୋଲିସ ତଦନ୍ତ କରୁଥିବାର ଏସ୍ଆଇ ବଳରାମ ବେହେରା କହିଛନ୍ତି । ଗୁରାଣ୍ଡି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ଭାବେ ଠପ ହୋଇଯାଇଥିବା ଯୋଗୁ ଲୁଟେରାଙ୍କ ବେଶ ଉପଦ୍ରଵ ଦେଖାଦେଇଛି. ଉଚ୍ଚ ପୋଲିସ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ