ନାଉଗାଁ ବ୍ଳକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଖେଳ ପଡିଆ ପରିସରରେ ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି । ଉପସ୍ଥିତ ମହିଳାମାନେ ଟିଭି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ ଦେଖିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନର ସ୍ୱଚ୍ଛତା ହାଏ ସେବା-୨୦୨୪ ଅଭିଯାନରେ ସ୍ୱଚ୍ଛତା ଶପଥ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସରକାରୀ ପଦାଧିକାରୀ, କର୍ମଚାରୀ ଓ ଉପସ୍ଥିତ ଜନସାଧାରଣ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । କିନ୍ତୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ଚତୁଃପାଶ୍ୱର୍ରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ନିୟାମାନୁସାରେ ଏହି କାର୍ଯ୍ୟକ୍ରମରେ ୩ ହଜାର ମହିଳାଙ୍କ ଉପସ୍ଥିତ ରହିବେ । ସେମାନଙ୍କର ବସିବା ପାଇଁ ଚେୟାର,ପଙ୍ଖା ଲଗାଯିବା ସହିତ ୨ଟି ଅସ୍ଥାୟୀ ଶୌଚାଳୟ ରହିବ । ସେହିପରି ଖାଇବା ପାଇଁ ଅତିକମ୍‌ରେ ୧୫ଟି ଷ୍ଟଲ ଓ ହାତ ଧୋଇବା ପାଇଁ ୨ଟି ପାଣି ଟ୍ୟାଙ୍କର ସହ ଡଷ୍ଟବିନ ରଖାଯିବାର ବ୍ୟବସ୍ଥା କରାଯିବ । କିନ୍ତୁ ଏହି କାର୍ଯ୍ୟକ୍ରମରେ ୧୫ ଶହରୁ କମ୍ ମହିଳା ଯୋଗ ଦେଇଥିଲେ । ବସିବା ସ୍ଥାନରେ ପଙ୍ଖା ନଥିବା ବେଳେ ଖାଦ୍ୟ ପରିବେଷଣ ପାଇଁ ୧୫ଟି ଷ୍ଟଲ ପରିବର୍ତେ ୪ଟି ଷ୍ଟଲ ରହିଥିଲା । ପଡିଆରେ ଡଷ୍ଟବିନ ନ ଥିବା ହେତୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନେ ଏଣେ ତେଣେ ବୁଲି ଖାଇବା ସହ ଖାଇବା ପତ୍ର ଓ ପାଣି ବୋତଲ ଚାରିଆଡେ ପକାଇ ଖେଳ ପଡିଆରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥିଲେ । ଗୋଟିଏ ପଟେ ସ୍ୱଚ୍ଚତା ପାଇଁ ଶପଥ ନେଉଥିବା ବେଳେ ଅନ୍ୟପଟରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାକୁ ନେଇ ବ୍ଳକ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି କାର୍ଯ୍ୟକ୍ରମରେ ମହିଳା ଯୋଗ ଦେଇଥିବା ବେଳେ ଅସ୍ଥାୟୀ ଶୌଚାଳୟ ନଥିବାରୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏପିରିକି ଏହି କାର୍ଯ୍ୟକ୍ରମରେ ଅତିକମ୍‌ରେ ୫୦ ଜଣ ସେଚ୍ଛାସେବୀଙ୍କୁ ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ କୌଣସି ସେଚ୍ଛାସେବୀ ନଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଅବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ରମ ହୋଇଥିବା ଦେଖି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ସମାଧାନ ପାଇଁ ବ୍ଲକ ପ୍ରଶାସନ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବବ୍ୟସ୍ଥା ହୋଇଥିବା ହେତୁ ଯୁବନେତା ତାପସ ଦାସ, ପ୍ରଭୁଚରଣ ଦାସ, ଲଲାଟ ଲେଙ୍କା, ଭିକାରୀ ସ୍ୱାଇଁ, ଗୁଣନିଧି ମଲ୍ଲିକ, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅବ୍ୟବସ୍ଥା ସଂପର୍କରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରୁ ଡଷ୍ଟବିନ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଟେଂଟ ବନ୍ଧା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ କୁହାଯାଇଥିଲା,ହେଲେ ବ୍ୟବସ୍ଥା ହୋଇପାରିନାହିଁ କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ତପନ ମହାପାତ୍ର,ଏବିଡିଓ ଦେବେନ୍ଦ୍ର ପ୍ରଧାନ,ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ବଛାଳୋ ସମିତି ସଭ୍ୟ ଚନ୍ଦନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ôଥକ ବର୍ଷରେ ଗୃହ ପାଇଥିବା ୧୫୫ଜଣ ହିତାଧିକାରୀ ଧାର୍ଯ୍ୟ ସମୟ ମଧ୍ୟରେ ଗୃହ ନିର୍ମାଣ ଶେଷ କରିଥିବାରୁ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଁଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେହିପରି ୨ଜଣ ହିତାଧିକାରୀ କୋରୁଅ ପଂଚାୟତର ଅନ୍ନପୂର୍ଣ୍ଣା ପରିଡା ଓ ପ୍ରଭାସିନୀ ବିଶ୍ୱାଳଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ