ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀଙ୍କୁ ୧୨୫୦ କୋଟି ଟଙ୍କା ଦିବିଟି ମଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ମୁଖ୍ୟାଳୟରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଆଭାସୀ ମଧ୍ୟମରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମରେ ପ୍ରତି ବ୍ଲକରୁ ୫ ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ମାନିତ କରିବା ସହ ୫ ଜଣ ଲେଖାଏଁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ହିତାଧିକାରୀଙ୍କୁ ନିର୍ମାଣ ଆଦେଶ ପତ୍ର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଆୟୁଷ୍ମାନ ଭବନରେ ସଦର ବ୍ଲକ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟାକ ଶ୍ରୀ ମାନସ ଦତ୍ତ ଯୋଗ ଦେଇ କହିଥିଲେ ଯେ ଆଜିର ଦିନଟି ସମଗ୍ର ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ଅଟେ। ଓଡ଼ିଶାର ମା’ମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଏବଂ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଯୋଜନାର ଶୁଭାରମ୍ଭ ହେବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ ।ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଏହି ଯୁଗାନ୍ତକାରୀ ଯୋଜନାରେ ଓଡ଼ିଶାର ମା’ମାନଙ୍କ ବ୍ଯାଙ୍କ ଖାତାକୁ ଡିବିଟି ଜରିଆରେ ସିଧାସଳଖ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ଯାହାକୁ କି ସେମାନେ ନିଜର ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ଭଳି କ୍ଷେତ୍ରରେ ବିନିଯୋଗ କରିପାରିବେ। ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟମରେ ମହିଳାଙ୍କୁ ସଚେତନ କରିବା ସହ ସମସ୍ତ ଯୋଗ୍ୟ ହିତାଧିକାରଙ୍କୁ ବିନା ମୂଲ୍ୟରେ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶୃତିବଦ୍ଧ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଂଜନ ନାୟକଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସଦର ବିଡ଼ିଓ ଶ୍ରୀ ସମରଜିତ କର, ସଦର ତହସିଲଦାର ଶ୍ରୀ ଅଶ୍ୱିନୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରିମଣି ନାୟକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ