ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଷଷ୍ଠ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ବୁଧବାର ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସଙ୍କ ଅଧ୍ୟକ୍ଷ୍ୟତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ରହିଥିବା ଶିକ୍ଷକ ସମସ୍ୟା ଦୂର ହେବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ ସେପ୍ଟେମ୍ବର ମାସରେ କନିଷ୍ଠ ଶିକ୍ଷକ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା । ପରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୧୨୬୫ଟି ଅନୁମୋଦିତ ପଦବୀ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏହା ପରେ ୧୧୬୫ଟି ଯୋଗ୍ୟ ପ୍ରାର୍ଥୀଙ୍କ ନଥିପତ୍ର ଯାଞ୍ଚ କରାଯାଇଥିଲା । ଜିଲ୍ଲା ପାଇଁ ୧୦୩୮ଜଣଙ୍କ ଯୋଗ୍ୟ ତାଲିକା ପ୍ରକାଶ ପାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଠାରୁ ଖାଲିଥିବା ବିଦ୍ୟାଳୟମାନଙ୍କର ତାଲିକା ମଗାଯାଇ ୧୦୩୮ଗୋଟି ବିଦ୍ୟାଳୟର ତାଲିକା ସରକାରଙ୍କୁ ପ୍ରେରଣ କରାଯାଇଥିଲା । ଆଜି ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ହୋଇଛି । ବ୍ଲକୱାରୀ ଖାଲିଥିବା ଶିକ୍ଷକ ପଦବୀ ପୁରଣ ହେବା ବେଳେ ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେହି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଚୂଡ଼ାନ୍ତ ତାଲିକାର ଅନୁମୋଦନ ନିମନ୍ତେ ଉକ୍ତ ବୈଠକ ଆହ୍ୱାନ କରାଯାଇଥିଲା । ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ପରିଷଦ ସମସ୍ତ ଜୋନର ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ