ସୁନାମି ରେଡି ରିକୋଗନେସନ ପ୍ରୋଗ୍ରାମ ବାଲେଶ୍ୱର ଜିଲ୍ଲା ଗ୍ରାମାଞ୍ଚଳ ବୁଲିଲେ ବିଶେଷଜ୍ଞ ଦଳ

ବାଲେଶ୍ୱର, (ସରୋଜ ପଣ୍ଡା):ସୁନାମି ରେଡି଼ ରିକୋଗନେସନ ପ୍ରୋଗ୍ରାମ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ୪ ଗୋଟି ଗାଁକୁ ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ (ଏନଟିଆରବି) ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ବିଶେଷଜ୍ଞ ଦଳ ଦୁଇ ଦିନିଆ ଗସ୍ତ କରିଛନ୍ତି। ସେପ୍ଟେମ୍ବର ୧୮ ଓ ୧୯ ରେ ହୋଇଥିବା ଏହି ଗସ୍ତ ସୁନାମି ପ୍ରସ୍ତୁତିର ସମୀକ୍ଷା କରିବା ଏବଂ ସ୍ଥାନୀୟ ସମୁଦାୟଙ୍କ ସହ ଯୋଯଯୋଗ କରିବା ପାଇଁ ଆୟୋଜିତ ହୋଇଥିଲା।ଭ୍ରମଣକାରୀ ଦଳରେ ହାଇଦ୍ରାବାଦର ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ୍ (ଆଇଏନସିଓଆଇଏସ) ର ବରିଷ୍ଠ ବୈଜ୍ଞାନିକ ଡଃ ମହେନ୍ଦ୍ର ଏବଂ ଡଃ ସୁନନ୍ଦାଙ୍କ ସମେତ ଓଏସଡିଏମଏର ଡଃ ଆରଣ୍ୟକ ମିଶ୍ର ଏବଂ ଡଃ ରାକେଶ ଠାକୁର ଉପସ୍ଥିତ ଥିଲେ। ଏହି ଦଳ ସଦର ବ୍ଲକର ଜୟଦେବକସବା, ବାହାନଗା ବ୍ଲକର ଜଗନ୍ନାଥପୁର, ଭୋଗରାଇ ବ୍ଲକର ସାହାପୁର ଓ କନ୍ୟାନଗରୀ ବୁଲି ଦେଖିଥିଲେ।ଏହି ଗସ୍ତ କାଳରେ ବିଶେଷଜ୍ଞମାନେ ସ୍ଥାନୀୟ ବାସିନ୍ଦା, ସ୍କୁଲ ଛାତ୍ରଛାତ୍ରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସହିତ ଆଲୋଚନା କରିଥିଲେ। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ସୁନାମୀ ସମୟରେ ଜୀବନ ହାନିକୁ ହ୍ରାସ କରିବା ଏବଂ ସମୁଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା।ଏହି ଟିମ୍ ଓଡ୍ରାଫ୍, ଅଗ୍ନିଶମ ସେବା, ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ଡାକ୍ତରୀ ଦଳଙ୍କ ସହଯୋଗରେ ମକ୍ ଡ୍ରିଲ୍ କରି ସମ୍ଭାବ୍ୟ ସୁନାମି ପାଇଁ ଗାଁଗୁଡ଼ିକର ପ୍ରସ୍ତୁତିର ଆକଳନ କରିଥିଲେ। ସୁନାମି ପ୍ରସ୍ତୁତି ସ୍ୱୀକୃତି କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁସାରେ ବର୍ତ୍ତମାନର ପ୍ରସ୍ତୁତି ପଦକ୍ଷେପ ଏବଂ ଭିତ୍ତିଭୂମିର ମଧ୍ୟ ସେମାନେ ସମୀକ୍ଷା କରିଥିଲେ।ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସ୍ଥାନୀୟ ପୋଲିସ ଏବଂ ଡାକ୍ତରୀ ଦଳଙ୍କ ସମେତ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ