ସମାଜସେବୀ ବ୍ରହ୍ମାନନ୍ଦ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ଜଣେ ସମାଜସେବୀ ତଥା ବହୁ ସାମାଜିକ ସଂଗଠନ ସହ ଜଡ଼ିତଥିବା ଚୌଧୁରୀ ବ୍ରହ୍ମାନନ୍ଦ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ସନ୍ଧ୍ୟାରେ ତାଙ୍କର ଭାସ୍କରଗଞ୍ଜସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକକର୍ମୀ ଗୌରାଙ୍ଗ ପାଣିଗ୍ରାହୀ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରି ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ଦାମୋଦର ନାୟକ, ମେଡିକାଲ୍ କଲେଜ୍, କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଶିକ୍ଷାବିତ୍ ଶତୃଘ୍ନ ମଲ୍ଲିକ, ଆଇନଜୀବୀ ପ୍ରଶାନ୍ତ ସାମଲ, ସ୍ୱର୍ଗତ ଦାସଙ୍କ କନ୍ୟା ବନଲତା ଦାସ, ଭବେଶ ପଣ୍ଡା, ପଦ୍ମଲୋଚନ ଦତ୍ତ, ପୁରୁଷୋତ୍ତମ ବେହେରା ପ୍ରମୁଖ ବିଭିନ୍ନ ସାମାଜିକ ସଂଗଠନ ପ୍ରତି ତାଙ୍କର ଅବଦାନକୁ ଅବତାରଣା କରିଥିଲେ । ବାଲେଶ୍ୱରରେ ଏକ ଜରାନିବାସ ପ୍ରତିଷ୍ଠା ପାଇଁ ସ୍ୱର୍ଗତ ଦାସ ଦାନ କରିଥିବା ପ୍ରାୟ ଦୁଇ ଏକର ଜମି ଉପରେ ନିର୍ମାଣାଧିନ ଜରାନିବାସ କାର୍ଯ୍ୟକ୍ଷମ ହୋଇପାରିଲେ ତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ବକ୍ତାମାନେ ମତ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସଂଜୟ କୁମାର ପଣ୍ଡା ଶୋକବାର୍ତ୍ତା ପାଠ କରି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଅଜୟ ସ୍ୱାଇଁ ପରିବାର ପକ୍ଷରୁ ଉପସ୍ଥିତମାନଙ୍କୁ କୃତଜ୍ଞତା ଜଣାଇଥିଲେ ।