ରେଳବାଇ ମହାପ୍ରବନ୍ଧକଙ୍କ ପାରଳା ରେଳ ଷ୍ଟେସନରେ ଅନୁଧ୍ୟାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନୌପଡ଼ା – ଗୁଣୁପୁର ରେଳପଥର ବିକାଶ ଓ ଉନ୍ନତି ସହ ଅଧିକା ରେଳ ଚଳାଚଳ ଓ ରେଳ ଗତି ବଢ଼ାଇବା ପାରଳାଖେମୁଣ୍ଡି ଓ ଗୁଣୁପୁରରେ ରେଳଷ୍ଟେସନରେ ବିଭିନ୍ନ ନିର୍ମାଣ କାମ ଜାରି ରହିଛି. ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଆସି ପାରଳାଖେମୁଣ୍ଡି ସମେତ ଅନ୍ୟାନ୍ୟ ଷ୍ଟେସନ୍ଗୁଡ଼ିକରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି. ପାରଳାଖେମୁଣ୍ଡି ରେଳଷ୍ଟେସନ୍ ପରିସରରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ବିଶେଷ କରି ନିକଟରେ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପାଇଥିବା ଗୁଣୁପୁର- ଥେରୁବାଲି ରେଳପଥ ପ୍ରକଳ୍ପ ତ୍ବରାନ୍ବିତ, ଗୁଣୁପୁର-ନୌପଡ଼ା ମଧ୍ୟରେ ଦ୍ଵିତୀୟ ଲାଇନ୍ ଓ ଏହି ଲାଇନ୍ରେ ଟ୍ରେନ୍ର ଗତି ବଢ଼ାଇବା, ବିଶାଖାପାଟଣା ଏକ୍ସପ୍ରେସକୁ ଗୁଣ୍ଟୁରୁ ଯାଏଁ ସଂପ୍ରସାରଣ, ଗରିବ ରଥ କିମ୍ବା ଗୋଦାବରୀ ଏକ୍ସପ୍ରେସକୁ ଗୁଣୁପୁର ଯାଏଁ ସଂପ୍ରସାରଣ, ବ୍ରହ୍ମପୁର ଓ ଗୁଣୁପୁର ମଧ୍ୟରେ ସକାଳୁଆ ମେମୁ ଚଳାଚଳ, ପୂର୍ବରୁ ଲାଗିଥିବା ବିଶାଖାପାଟଣା ଏକ୍ସପ୍ରେସ୍ ଟ୍ରେନ୍ରେ ଏସି କୋଚ୍ ପୁଣି ଯୋଡ଼ିବାକୁ ଦାବି କରି ଲିଖିତ ଓ ମୋୖଖିକ ଭାବେ ମହାପ୍ରବନ୍ଧକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ. ସେହିଭଳି, କାଶୀନଗର ଓ ତେମ୍ବୁରୁ ଠାରେ ସିଗ୍ନାଲ ପୋଷ୍ଟ ଓ ପାରଳାଖେମୁଣ୍ଡି ଷ୍ଟେସନ୍ରେ ଲକ୍ ରୁମ୍, ଆରପିଏଫ୍ ପୋଷ୍ଟ, କାଶୀନଗର ଷ୍ଟେସନରେ ଗୋଟିଏ ଲୁପ୍ ଲାଇନ୍ ନିର୍ମାଣ, ଟିକଟ ସଂରକ୍ଷଣ କେନ୍ଦ୍ର, ଯାତ୍ରୀ ପ୍ରତୀକ୍ଷାଳୟ, ଫୁଟ୍ ଓଭରବ୍ରିଜ ନିର୍ମାଣ, ଦ୍ବିତୀୟ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ଆଦି ଦାବି କରାଯାଇଥିଲା. ସାଧାରଣଙ୍କ ଠାରୁ ମହାପ୍ରବନ୍ଧକ ଏସବୁ ଶୁଣିବା ପରେ ଏହି ରେଳପଥର ବିକାଶ ଓ ଉନ୍ନତି ସହ ସମସ୍ତ ଦାବିକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଧାରଣଙ୍କୁ ଜଣାଇଥିଲେ.