ମାଁ କନକଦୁର୍ଗାଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଁଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଁ । ଅନ୍ୟ ପୀଠ ଭଳି ହିଞ୍ଜିଳିର ଅଧିଷ୍ଠାତ୍ରୀ ଦେବୀ ମାଁ କନକଦୁର୍ଗାଙ୍କ ପୀଠରେ ମାଆଙ୍କର ଷୋଡଷ ଉପଚାର ପୂଜା ମଙ୍ଗଳବାର ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦେବୀପୀଠ ଗୁଡିକ ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ ରଙ୍ଗୀନ ଆଲୁଅରେ ଝଲସି ଉଠୁଛି। ଦଶହରା ପର୍ଯ୍ୟନ୍ତ ମାଆ କନକ ଦୁର୍ଗା ଙ୍କ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ମୂଳାଷ୍ଟମୀରୁ ମାଆଙ୍କର ପୂଜା ଓ ବେଶ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମାଆ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ବିଶ୍ୱାସ ରହିଛି ମାଙ୍କୁ ଷୋଡଷ ପୂଜା ସମୟରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ।ପ୍ରତ୍ୟହ ସୂର୍ଯ୍ୟପୂଜା, ସାଲା ପୂଜା, ଘଟପୁଜା, ଗ୍ରହଣ ମଣ୍ଡଳ ପୂଜା, ନୈବେଦ୍ୟ ସଂସ୍କାର, ଷୋଡଷ ଉପଚାର ପୂଜା, ବିଲ୍ଲୋପତ୍ର ଅର୍ଚ୍ଚନ, ହମୋଯଜ୍ଞ ଓ ଚଣ୍ଡିପାଠ ମଧ୍ୟରେ ଏହି ଷୋଡ଼ଶ ପୂଜା ଚାଲୁ ରହିଛି । ପ୍ରଥମ ଦିବସ ମଙ୍ଗଳବାର ଦିନ ଭୋର ୪ଟାରେ ମଙ୍ଗଳ ଆଳତୀ, ୫ଟାରେ କାଠିଆ ସେବା, କ୍ରମାନ୍ୱୟରେ ଦେବୀଙ୍କ ପୂଜାର୍ଚ୍ଚନା ଓ ମାର୍ଜଣା ପରେ ମଧ୍ୟାହ୍ନରେ ଅନ୍ନଭୋଗ ଲାଗି କରାଯାଇଥିଲା ।ଅପରାହ୍ନରେ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରାଯିବା ସହ ସନ୍ଧ୍ୟାରେ ଆଳତୀ ରାତ୍ର ୧୨ଟାରେ ଦେବୀଙ୍କୁ ଅନ୍ନଭୋଗ କରାଯାଇଥିବା ମୁନି ପୂଜକ ସନ୍ତୋଷ ମୁନି, ଦେବେନ୍ଦ୍ର ମୁନି, ଟୁନା ମୁନି, ସିମାଞ୍ଚଳ ମୁନି, ନାରାୟଣ ମୁନି, ଗୋଲକ ବିହାରୀ ମୁନି, ମୁନା ମୁନି, ଦିଲିପ ମୁନି ପ୍ରମୁଖ କହିଛନ୍ତି । ମନ୍ଦିର ପରିଚାଳନା କମିଟି ଓ ପୂଜକ ମୁନି ମାନଙ୍କ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜାର୍ଚ୍ଚନା ଚାଲିଛି। ସେହିଭଳି ବୁରୁପଡା ଶ୍ୟାମଳାଇ ମନ୍ଦିର, ହିଞ୍ଜିଳି ଦଣ୍ଡକାଳି ମନ୍ଦିର, ପାବନ ଶ୍ରୀକ୍ଷେତ୍ର ସ୍ଥିତ ମାଁ ବିମଳା, ବାରାହୀ ପାହାଡ ସ୍ଥିବ ବୈଷ୍ଣବଦେବୀ ମା କନକଦୁର୍ଗା, ସ୍ଥାନୀୟ ଖରିଡା ସ୍ଥିତ ମାଁ କରେଇଶୁଣୀ ସମେତ ବ୍ଳକର ବିଭିନ୍ନ ଦେବୀପୀଠରେ ଷୋଡ଼ଶ ଉପଚାର ସହ ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି। ପ୍ରତ୍ୟହ ସନ୍ଧ୍ୟାରେ ଦେବୀପୀଠ ଗୁଡ଼ିକରେ ଆୟୋଜିତ ସାନ୍ଧ୍ୟ ଆଳତି ଦର୍ଶନ ସକାଶେ ସହସ୍ରାଧିକ ମହିଳା ଓ ପୁରୁଷ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହେଉଛି। ଭକ୍ତଙ୍କ ଅସମ୍ଭବ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ମା’ଙ୍କ ଷୋଡ଼ଷ ଉପଚାର ପୂଜାତ୍ସୋଵ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଚାର୍ଯ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଦିପ୍ତିରଞ୍ଜନ ମହାପାତ୍ର, ଶଙ୍କର୍ଷଣ ପାଠି ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।