ପାରଳାରେ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅପରେସନାଲ୍ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ ଭୁବନେଶ୍ଵର ଶାଖାର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନବ୍ୟାପୀ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୧୪ ଗୋଟି ଦେଶର ୧୬୦ ଗୋଟି ସନ୍ଦର୍ଭ ପାଠ କରାଯିବ ବୋଲି ସ୍ଥିର ହୋଇଥିବା ସୂଚନା ମିଳିଛି. ଯାହାର ଶୀର୍ଷକ ହେଉଛି ‘ବିକଶିତ ଭାରତ-୨୦୪୭’ ଭାରତର ଦୀର୍ଘସ୍ଥାୟୀ ଉନ୍ନତି ପାଇଁ ନୂତନ ବ୍ୟବସାୟ, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ସ ପରିଚାଳନା ବିଷୟରେ ଆହୁତ ଏହି ସମ୍ମିଳନୀରେ ୧୪ଟି ଦେଶର ୧୬୦ଟି ସନ୍ଦର୍ଭ ପାଠ କରାଯିବା ମୋନାସ୍ ବିଶ୍ବବିଦ୍ୟାଳୟ, କାନବେରା ବିଶ୍ଵବିଦ୍ୟାଳୟ, ଫିଜି ବିଶ୍ବବିଦ୍ୟାଳୟ, ସାଉଦି ବିଶ୍ବବିଦ୍ୟାଳୟ, ଡାଫୋଡିଲ୍ ବିଶ୍ଵବିଦ୍ୟାଳୟ ଓ କାଠମାଣ୍ଡୁ ବିଶ୍ଵବିଦ୍ୟାଳୟ ସହ ଭାରତର ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରତିନିଧି ଭାଗ ନେବେ । ଏହି ସମ୍ମିଳନୀ ଜ୍ଞାନ ଓ ଭାବନାର ଆଦାନପ୍ରଦାନ ସହ ଭାରତକୁ ଏକ ସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତର ଦିଗଦର୍ଶନ ପ୍ରଦାନ କରିବ | ନୂତନ କୌଶଳର ଅନ୍ବେଷଣ ପାଇଁ ଚିନ୍ତାନାୟକ, ଶିଳ୍ପ ବିଶେଷଜ୍ଞ, ଏନଜିଓ, ଗବେଷକ, ଛାତ୍ର ଓ ନୀତିନିର୍ଦ୍ଦେଶକମାନଙ୍କୁ ଏକତ୍ର କରିବା ଏହାର ଉଦ୍ଦେଶ୍ୟ ବୋଲି ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ.ସୁପ୍ରିୟା ପଟ୍ଟନାୟକ କହିଛନ୍ତି। ସମ୍ମିଳନୀର ବିଶେଷ ଆକର୍ଷଣ ହେଉଛି, ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଅଧିବେଶନ, ଚର୍ଚ୍ଚା ଏବଂ ଟେଲର୍ ଆଣ୍ଡ ଫ୍ରାନ୍ସିସ୍ ଗ୍ରୁପ୍ ଦ୍ବାରା ନିର୍ବାଚିତ ଗବେଷଣା ସନ୍ଦର୍ଭ ଉନ୍ମୋଚନ ଓ ପ୍ରକାଶ। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ସକାଶେ ଆୟୋଜକ ଡ.ଅନିତା ପାତ୍ର, ଡ.ପ୍ରଜ୍ଞା ପାଣି ଓ ପ୍ରଫେସର ରବିନାରାୟଣ ସୁବୁଦ୍ଧି ନିବେଦନ କରିଛନ୍ତି ।